ସିଏଏ ନେଇ ବିଜେପିର ସଚେତନତା ଅଭିଯାନ: ୩କୋଟିରୁ ଅଧିକ ପରିବାର ନିକଟରେ ପହଞ୍ଚିବ

ପ୍ରତ୍ୟେକ ଜିଲ୍ଲାରେ ରୢାଲି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବାରୁ ବିଜେପି ଏବେ ଏହି ପ୍ରସଙ୍ଗ‌ରେ ଲୋକଙ୍କୁ ସଚେତନ କରିବା ଏବଂ ବିଭ୍ରାନ୍ତି ଦୂର କରିବାପାଇଁ ଏକ ବିଶାଳ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯୋଜନା କରିଛି। ଦଳ ଆସନ୍ତା ୧୦ ଦିନ ମଧ୍ୟରେ ପ୍ରତି ଜିଲ୍ଲାରେ ରୢାଲି କରିବ ଏବଂ ୩ କୋଟିରୁ ଅଧିକ ପରିବାରଙ୍କ ନିକଟରେ ପହଞ୍ଚିବ। ଏନେଇ ୧୦୦୦ରୁ ଅଧିକ ରୢାଲି କରାଯିବ। ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସିଏଏକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ହୋଇଥିବା ବେଳେ ସିଏଏ ପ୍ରସଙ୍ଗରେ ନୂଆ ରଣନୀତି ପ୍ରସ୍ତୁତି ପାଇଁ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ‌ହୋଇଥିବା ବୈଠକରେ ଆଲୋଚନା ହୋଇଥିଲା। ଦଳର ସାଧାରଣ ସଚିବ ଭୂପିନ୍ଦର ଯାଦବ ସୂଚନା ଦେଇ କହିଛନ୍ତି ଯେ, ବିଜେପି ଆସନ୍ତା ୧୦ ଦିନ ମଧ୍ୟରେ ୩ କୋଟିରୁ ଅଧିକ ପରିବାରଙ୍କ ନିକଟରେ ପହଞ୍ଚିବ। ନୂଆ ଆଇନ ସମ୍ପର୍କରେ ଲୋକଙ୍କୁ ସ୍ପଷ୍ଟ ଭାବେ ଅବଗତ କରିବା ପାଇଁ ଦଳ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ରୢାଲି କରାଯିବ ଏବଂ ୨୫୦ରୁ ଅଧିକ ସାମ୍ବାଦିକ ସମ୍ମିଳନୀ କରାଯିବ। ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଦ୍ବାରା ବିଭ୍ରାନ୍ତି ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର