ବିଜେପି କରିଥିଲା ଲାଲକିଲ୍ଲା ହିଂସା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଉତ୍ତରପ୍ରଦେଶର ମିରଟଠାରେ ଆୟୋଜିତ ଚାଷୀ ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ‘ଲାଲକିଲ୍ଲା ହିଂସା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ’ । ଲାଲକିଲ୍ଲା ଉପରେ ଚଢି ଯେଉଁ ବ୍ୟକ୍ତି ଶିଖ୍ ପତାକା ଉଡ଼ାଇଥିଲା ସେ ବିଜେପିର କାର୍ଯ୍ୟକର୍ତ୍ତା ବୋଲି ସେ କହିଛନ୍ତି । ବିଜେପି ସରକାର ଯୋଜନାବଦ୍ଧ ଭାବେ ଚାଷୀମାନଙ୍କୁ ଦିଲ୍ଲୀ ଆସିବାକୁ ବାଧ୍ୟ କରିଥିଲା ଓ ସେମାନଙ୍କ ନାମରେ ହିଂସା କରି କୃଷକମାନଙ୍କୁ ଜେଲରେ ଭର୍ତ୍ତି କରିବାର ଯୋଜନା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା ବୋଲି ସେ କହିଛନ୍ତି ।

କେବଳ ଏତିକି ନୁହେଁ ବିଜେପିକୁ ଟାର୍ଗେଟ୍ କରି କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀର ବଡ଼ ବଡ଼ ୯ଟି ଷ୍ଟାଡିୟମକୁ ଜେଲରେ ପରିଣତ କରିବାକୁ କେନ୍ଦ୍ର ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଫାଇଲ ପଠାଇଥିଲେ । ଏହି ଫାଇଲକୁ ପାସ୍ କରାଇବାକୁ ବିଜେପି ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିଲା‌ ବୋଲି ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

indiatoday

ଚାଷୀମାନେ ଯେବେଠାରୁ ଦିଲ୍ଲୀରେ ଧାରଣାରେ ବସିଛନ୍ତି ଗୋଟିଏ ରାଜ୍ୟ ସରକାର ହିସାବରେ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରାଯାଉଥିବା କଥା କେଜ୍ରିୱାଲ କହିଛନ୍ତି । କେବଳ ବିଜେପି ନୁହେଁ କଂଗ୍ରେସକୁ ଟାର୍ଗେଟ କରି କେଜ୍ରିୱାଲ କହିଥିଲେ କି କୃଷକମାନେ ଆଜି ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ କେବଳ ବିଜେପି ନୁହେଁ ସମାନ ମାତ୍ରାରେ କଂଗ୍ରେସ ବି ଦାୟୀ । ୭୦ ବର୍ଷ ଧରି ସରକାରମାନେ କୃଷକମାନଙ୍କୁ କେବଳ ଧୋକା ଦେଇ ଚାଲିଛନ୍ତି ।

ସରକାର କୃଷକମାନଙ୍କୁ ଦେଶଦ୍ରୋହୀ କହି ନିଜର ଅପାରଗତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଧାରଣାରେ ବସିବାକୁ କାହାକୁ ଭଲ ଲାଗେନି । କିନ୍ତୁ ସେମାନଙ୍କ ହକ୍ ଯେତେବେଳେ ସରକାର ଛଡାଇନେବାକୁ ବସିଛନ୍ତି ସେତେବେଳେ ସେମାନଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ । ଆନ୍ଦୋଳନରେ ୨୫୦ରୁ ଅଧିକ ଚାଷୀ ମୃତ୍ୟୁବରଣ କରିଛନ୍ତି । ଏହାସହ ଗତ ୨୫ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୩ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏହାପାଇଁ କେବଳ ବିଜେପି ନୁହେଁ ବରଂ କ୍ଷମତା ଲୋଭରେ ପୁଞ୍ଜିପତିଙ୍କ ସ୍ୱାର୍ଥରେ କାମ କରୁଥିବା ରାଜନୈତିକ ଦଳମାନେ ଦାୟୀ ।

ସମ୍ବନ୍ଧିତ ଖବର