ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ପ୍ରବଳ ବିରୋଧ ଜାରି ରହିଛି । ଆଜି କୋଲକତାରେ ଆୟୋଜିତ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଯୋଗଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ ପୂର୍ବରୁ ସେ କେବଳ କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିଲେ । କିନ୍ତୁ ଏବେ ସମସ୍ତେ କେନ୍ଦ୍ର ବିରୁଦ୍ଧରେ ଏକାଠି ହୋଇଛନ୍ତି । ତେବେ ତାଙ୍କର ଆଉ ଏକ ବକ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେଉଛି । ସେ କହିଛନ୍ତି ଯେ ରାଜ୍ୟରେ ଯେଉଁ ହିଂସାକାଣ୍ଡ ଓ ସର୍ବସାଧାରଣ ସଂପତ୍ତି ନଷ୍ଟ କରାଯାଉଛି, ତାହା ପଛରେ ବିଜେପିର ହାତ ରହିଛି । ବିଜେପି ଟଙ୍କା ଦେଇ ଦଙ୍ଗା କରାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

Advertisment

ଅନ୍ୟପକ୍ଷରେ ଦଙ୍ଗାକାରୀଙ୍କ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ତାହା ଦର୍ଶାଇବାକୁ କାଲକାଟା ହାଇକୋର୍ଟ ମମତା ବାନାର୍ଜି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟପାଳ ଜଗଦୀପ ଧନକର ମଧ୍ୟ ରାଜ୍ୟ ସରକାରଙ୍କୁ ରାଜ୍ୟର ଆଇନ ଶୃଙ୍ଖଳାସ୍ଥିତି ଉପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟର ଡିଜିପି ଓ ମୁଖ୍ୟ ଶାସନ ସଚିବ ତାଙ୍କୁ ରିପୋର୍ଟ ଦେଇନଥିବାରୁ ସେ ବିରକ୍ତି ପ୍ରକାଶ କରିଛନ୍ତି । ନାଗରିକତା ଆଇନ ବିରୁଦ୍ଧରେ ଗତ କିଛି ଦିନ ଧରି ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ ଅନ୍ୟକେତେକ ଜିଲ୍ଲାରେ ଦଙ୍ଗା ଦେଖିବାକୁ ମିଳିଛି ।