ପାନାଜୀ: ଗୋଆରେ କ୍ଷମତାକୁ ଆସିବା ପାଇଁ କଂଗ୍ରେସର ସ୍ବପ୍ନ ଧୂଳିସାତ ହୋଇଯାଇଛି। କ୍ଷମତାସୀନ ବିଜେପି ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଏଥର ୨୦ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମେଣ୍ଟକୁ ୧୨ଟି ଆସନ ମିଳିଛି ଏବଂ ପୂର୍ବ ନିର୍ବାଚନ ତୁଳନାରେ କଂଗ୍ରେସ ମେଣ୍ଟ ୮ଟି ଆସନ ହରାଇଛି। ଆପ୍ ମେଣ୍ଟ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଟିଏମ୍ସି ମେଣ୍ଟ ୨ଟି ଏବଂ ଅନ୍ୟମାନେ ୩ଟି ଆସନ ହାସନ କରିବାକୁ ସମର୍ଥ ହୋଇଛନ୍ତି। ତିନି ଜଣ ସ୍ବାଧୀନ ସଦସ୍ୟଙ୍କ ମଧ୍ୟରୁ ୨ ଜଣଙ୍କ ସମର୍ଥନ ବିଜେପି ସହ ରହିଥିବା ଦାବି କରାଯାଇଛି। ଏଭଳି ସ୍ଥିତିରେ ବିଜେପିର ସରକାର ଗଠନ ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କୁହାଯାଇଛି । ତେବେ ଏହି ତଟବର୍ତ୍ତୀ ରାଜ୍ୟରେ ଏଥର ଟିଏମ୍ସି ଏବଂ ଆପ୍ କିଛି ବଡ଼ ହଟଚମଟ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଥିରେ ସେମାନେ ବିଫଳ ହୋଇଛନ୍ତି ଏବଂ ବିଜେପି ବିରୋଧୀ ଭୋଟ୍ରେ ବଡ଼ ବିଭାଜନ କଂଗ୍ରେସ ପରାଜୟର ପ୍ରମୁଖ କାରଣ ପାଲଟିଯାଇଛି।
ଗୋଆ ନିର୍ବାଚନ ପରିଣାମକୁ ନେଇ କଂଗ୍ରେସ ନେତା ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ ନିର୍ବାଚନ ଫଳାଫଳ ଦଳ ପାଇଁ ନୈରାଶ୍ୟ ଆଣିଛି। ଆମେ ରାଜ୍ୟରେ ଦାୟିତ୍ବସଂପନ୍ନ ବିରୋଧୀ ଦଳର ଭୂମିକା ନିର୍ବାହ କରିବୁ ବୋଲି ସେ କହିଛନ୍ତି। ଗୋଆ ଦାୟିତ୍ବରେ ଥିବା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ବ ଉପରେ ଗୋଆବାସୀ ପୁଣି ଗଭୀର ଆସ୍ଥା ପ୍ରକଟ କରିଛନ୍ତି। ଆପ୍ ନେତା ମନିଷ ସିସୋଦିଆ କହିଛନ୍ତି ଗୋଆରେ ପ୍ରଥମ ପ୍ରୟାସରେ ଆପ୍ ୨ଟି ଆସନରେ ବିଜୟୀ ହେବା ନୂଆ ସମ୍ଭାବନା ଆଣିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/fshhhhhhhhhhhhhhhhhh.jpg)