ବାପାଙ୍କ ଗଡ଼ରେ ପଦ୍ମ ଫୁଟାଇଲେ ପୁଅ, ଆଦମପୁର ବିଧାନସଭା ଆସନ ଜିତିଲେ ଭବ୍ୟ ବିଷ୍ଣୋଇ

ନୂଆଦିଲ୍ଲୀ: ବାପାଙ୍କ ଗଡ଼ରେ ପଦ୍ମ ଫୁଟାଇଲେ ପୁଅ। ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଆଦମପୁର ବିଧାନସଭା ଆସନ ପାଇଁ କୁଲଦୀପ ବିଷ୍ଣୋଇଙ୍କ ପୁଅ ଭବ୍ୟ ବିଷ୍ଣୋଇଙ୍କୁ ପ୍ରାର୍ଥୀ କରାଯାଇଥିଲା। ଉପନିର୍ବାଚନ ପରେ ଆଜି ଭୋଟ ଗଣନା କରାଯାଇଥିବା ବେଳେ ଭବ୍ୟ ବିଷ୍ଣୋଇ ବିଜୟୀ ହୋଇଥିବା ଜଣାପଡ଼ିଛି। ଆଦମପୁର ବିଧାନସଭା ଆସନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଜୟପ୍ରକାଶଙ୍କୁ ପ୍ରାୟ ୧୬,୦୦୦ ଭୋଟ ବ୍ୟବଧାନରେ ହରାଇଛନ୍ତି ଭବ୍ୟ।

ଭବ୍ୟ କୁଲଦୀପ ବିଷ୍ଣୋଇଙ୍କ ପୁଅ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ନାତି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ସାନପୁଅ କୁଲଦୀପ ବିଷ୍ଣୋଇ ବିଧାୟକ ପଦରୁ ଇସ୍ତଫା ଦେବା ସହ ଅଗଷ୍ଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ପୁଅ ଭବ୍ୟଙ୍କୁ ଆଦମପୁର ଆସନ ପାଇଁ ଟିକେଟ ଦେବାର ଡିଲ୍ କରି ସେ ବିଜେପିରେ ସାମିଲ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ପରେ ବିଜେପି କଥା ରଖି ଭବ୍ୟଙ୍କୁ ଟିକେଟ ଦେଇଥିବା ବେଳେ ଆଜି ସେ ବିଜୟୀ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୬୮ମସିହାରୁ ଆଦମପୁର ଆସନରେ ସର୍ବଦା ଭଜନଲାଲଙ୍କ ପରିବାର କ୍ଷମତାରେ ରହିଆସିଛି। ସ୍ୱର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ୯ଥର, ତାଙ୍କ ପତ୍ନୀ ଜସମା ଦେବୀ  ଥରେ ଏବଂ କୁଲଦୀପ ୪ଥର ଆଦମପୁରର ପ୍ରତିନିଧିତ୍ୱ କରିଥିଲେ। କଂଗ୍ରେସ ଦଳରେ ରହି କୁଲଦୀପ ଆଦମପୁର ଆସନରେ ବିଧାୟକ ଥିଲେ। ହେଲେ ବିଧାନସଭାରୁ କୁଲଦୀପଙ୍କ ଇସ୍ତଫା ପରେ ଏହି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅଗଷ୍ଟରେ ବିଧାନସଭା ଓ କଂଗ୍ରେସରୁ ଇସ୍ତଫା ଦେବା ପରେ କୁଲଦୀପ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର