କେନ୍ଦ୍ର ମନ୍ତ୍ରୀ ବାଘେଲ ଅଖିଳେଶଙ୍କ ବିରୋଧରେ ବିଜେପି ପ୍ରାର୍ଥୀ
ଯାହାକୁ ପ୍ରାର୍ଥୀ କଲେ ବି ବିଜେପି ହାରିବ: ଅଖିଳେଶ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏସ୍ପି ସିଂହ ବାଘେଲ ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲା ଅଧୀନସ୍ଥ କରହାଲ୍ରୁ ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ଆଜି ଏହି ଆସନରୁ ଉଭୟ ଅଖିଳେଶ ଏବଂ ବାଘେଲ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାଘେଲ ଏବେ ଆଗ୍ରା ଲୋକସଭା ଆସନର ସଦସ୍ୟ। କରହାଲ୍ ବିଧାନସଭା ଆସନ ମୈନପୁରୀ ସଂସଦୀୟ ନିର୍ବାଚନମଣ୍ଡଳୀର ଏକ ଅଂଶ। ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏହି ଆସନକୁ ପ୍ରତିନିଧିତ୍ବ କରୁଥିଲେ। କରହାଲ୍ରେ ଯାଦବ ପରିବାରର ଦଖଲ ରହି ଆସିଛି। ୨୦୦୨କୁ ଛାଡ଼ିଦେଲେ ଏହି ଆସନ ୧୯୯୩ରୁ ସପା ସହ ରହିଛି। ଅନ୍ୟପକ୍ଷେ ବିଜେପି ଅଖିଳେଶଙ୍କ ବିରୋଧରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିବାରୁ ଲଢ଼େଇ ଜୋର୍ଦାର ହେବ ବୋଲି କୁହାଯାଇଛି। ଅଖିଳେଶ କହିଛନ୍ତି ଯେ କରହାଲ୍ ଆସନରୁ ବିଜେପି ଯାହାକୁ ପ୍ରାର୍ଥୀ କଲେ ବି ସେ ହାରିବ। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୦ରୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ମାର୍ଚ୍ଚ ୭ ତାରିଖରେ ଶେଷ ହେବ।