ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଥିବା ସମସ୍ତ ୭ଟି ଲୋକସଭା ଆସନ ପାଇଁ ଆସନ୍ତା ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଷଷ୍ଠ ପର୍ଯ୍ୟାୟ ମତଦାନରେ ପୂର୍ବ ଦିଲ୍ଲୀ ଲୋକସଭା ସିଟ୍ରୁ ବିଜେପି ପ୍ରାର୍ଥୀ ତଥା କ୍ରିକେଟର ଗୌତମ ଗମ୍ଭୀର ଏବଂ ଆପ୍ ପ୍ରାର୍ଥୀ ଅତିଶୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି । ତେବେ ମତଦାନ ଆରମ୍ଭ ହେବା ପୂର୍ବରୁ ଦୁହେଁ ନିଜ ନିଜର ପ୍ରଚାର କରିବା ଆରମ୍ଭ କରିଛନ୍ତି। ଏ ମଧ୍ୟରେ ଆପ୍ ଏକ ଫଟୋ ସେୟାର କରି ଗମ୍ଭୀରଙ୍କ ଉପରେ ବଡ଼ ଅଭିଯୋଗ ଆଣିଛି ।
ରୋଡ୍ ସୋ’ ସମୟରେ ଗମ୍ଭୀର ଏସି କାର୍ରେ ବସିବା ସହ ମାଳା ପିନ୍ଧାଇବା ପାଇଁ ନିଜର ଜଣେ ହମ୍ସକଲଙ୍କୁ ଖୋଲା ଗାଡ଼ିରେ ଠିଆ କରୁଥିବା କହିଛି ଆପ୍ । ସେୟାର କରାଯାଇଥିବା ଫଟୋରେ ଗମ୍ଭୀରଙ୍କୁ କାର୍ ଭିତରେ ବସିଥିବାର ଦେଖିବାକୁ ମିଳିଛି । ଏହା ସହ ପଛ ଗାଡ଼ିରେ ତାଙ୍କ ଭଳି ଦିଶୁଥିବା ଜଣେ ଯୁବକଙ୍କୁ ଲୋକେ ମାଳା ପିନ୍ଧାଉଛନ୍ତି । ଗମ୍ଭୀରଙ୍କ ହମ୍ସକଲ ଭଳି ଦିଶୁଥିବା ଲୋକଟିର ନାଁ ଗୌରବ ଆରୋରା ବୋଲି ଜଣା ପଡ଼ିଛି । ଗୌରବ ଆରୋରା କଂଗ୍ରେସର ନେତା ହୋଇଥିବା ବେଳେ ଏହି ଫଟୋ ସେୟାର କରି, ଏହା କଂଗ୍ରେସ ଏବଂ ବିଜେପିର ମହାମିଲାବଟ ବୋଲି କହିଛି ଆପ୍ ।