ହାଇଦ୍ରାବାଦ: ଲୋକସଭା ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି(ବିଜେପି)ର ପ୍ରାର୍ଥୀ ନେତ୍ରୀ ମାଧବୀ ଲତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ ପୋଲିଂ ବୁଥରେ ଭୋଟ ପାଇଁ ବସିଥିବା ମହିଳାଙ୍କ ଭୋଟର କାର୍ଡ ଯାଞ୍ଚ କରୁଥିବା ସହିତ ମାଧବୀ ଭୋଟରଙ୍କ ବୁର୍ଖା ବି ହଟାଉଥିବା ଦେଖିବାକୁ ମିଳୁଛି।  ଏହି ଭାଇରାଲ ଭିଡିଓଟି ହାଇଦ୍ରାବାଦର ପୁରୁଣା ସହରର ପୋଲିଂ ବୁଥର ବୋଲି କୁହାଯାଉଛି।

Advertisment

ଭିଡିଓ ସାମ୍ନାକୁ ଆସିବା ପରେ ମାଧବୀ ଲତାଙ୍କ ବିରୋଧରେ ହାଇଦ୍ରାବାଦର ମଲକପେଟ ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାକୁ ନେଇ ହାଇଦ୍ରାବାଦର ଜିଲ୍ଲାପାଳ କହିଛନ୍ତି, ‘ମାଧବୀ ଲତାଙ୍କ ବିରୋଧରେ ଧାରା ୧୭୧ସି, ୧୮୬, ୫୦୫(୧)(ସି) ଓ ଲୋକ ପ୍ରତିନିଧିତ୍ବ ଅଧିନିୟମର ଧାରା ୧୩୨ ଅଧୀନରେ ମାମଲା ରୁଜୁ କରାଯାଇଛି।

ଏହି ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି(ବିଜେପି)ର ପ୍ରାର୍ଥୀ ନେତ୍ରୀ ମାଧବୀ ଲତା ସଫେଇ ଦେଇ କହିଛନ୍ତି, ‘ମୁଁ ଜଣେ ପ୍ରାର୍ଥୀ। ନିୟମ ଅନୁଯାୟୀ ମୋତେ ମୋ ନିର୍ବାଚନୀ ମଣ୍ଡଳରେ ଭ‌ୋଟରଙ୍କ ଆଇଡି କାର୍ଡ ଓ ତାଙ୍କ ଚେହେରାକୁ ଦେଖିବାର ଅଧିକାର ରହିଛି। କାରଣ ମୁଁ ପୁରୁଷ ନୁହେଁ ଜଣେ ମହିଳା। ମୁଁ ମହିଳା ଭୋଟଙ୍କୁ ବୁର୍ଖା ହଟାଇବାକୁ କୌଣସି ପ୍ରକାର ଜୋର କରିନାହିଁ। ମୁଁ ଅନୁରୋଧ କରିଲା ପରେ ସେମାନେ ନିଜ ହାତରେ ବୁର୍ଖା କାଢ଼ିଥିଲେ।

ଯେଉଁମାନେ ଏହି ଘଟଣାକୁ ନେଇ ସମସ୍ୟା ସୃଷ୍ଟି କରୁଛନ୍ତି ମୋତେ ଲାଗୁଛି ସେମାନେ କୌଣସି କାରଣରୁ ଭୟ କରୁଛନ୍ତି।’