ଚେନ୍ନାଇ: ଭାରତୀୟ ଜନତା ପାର୍ଟିର ପୂର୍ବତନ ତାମିଲନାଡୁ ସଭାପତି କେ. ଅନ୍ନାମଲାଇ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି ଉପରେ ଖୋଲାଖୋଲି ଭାବରେ କହିଛନ୍ତି। ସେ ଦାବି କରିଛନ୍ତି ଯେ, ବିଜେପି ଏକାକୀ ୨୦୨୬ ବିଧାନସଭା ନିର୍ବାଚନ ଜିତିପାରିବ ନାହିଁ। ବିଶେଷ କଥା ହେଉଛି ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଦଳ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବିସ୍ତାର କରିବାକୁ ନିରନ୍ତର ଚେଷ୍ଟା କରୁଛି।
ଏକ ଟିଭି ଚ୍ୟାନେଲର ସାଉଥ୍ କନକ୍ଲେଭ ୨୦୨୫ରେ ଯୋଗ ଦେଇଥିବା ଅନ୍ନାମଲାଇ କହିଛନ୍ତି, ୨୦୨୬ ନିର୍ବାଚନ ଏକ 'କ୍ଲାସିକ୍ ମାମଲା' ହେବ ଯେଉଁଥିରେ ବିଜେପି ନିଜ ଦମରେ ସରକାର ଗଠନ କରିବାର ସ୍ଥିତିରେ ରହିବ ନାହିଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଜୟଙ୍କ ପରି ନୂତନ ମୁହଁର ପ୍ରବେଶ ନିର୍ବାଚନକୁ ଅଧିକ ରୋମାଞ୍ଚକର କରିଛି। ସେ ଏହା ମଧ୍ୟ କହିଛନ୍ତି, ଡିଏମକେକୁ କ୍ଷମତାରୁ ବାହାର କରାଯିବା ଉଚିତ୍।
ରାଜ୍ୟରେ ବିଜେପି ପୁଣି ଥରେ ଏଆଇଏଡିଏମକେ ସହିତ ମେଣ୍ଟ ଗଠନ କରିଛି। କାର୍ଯ୍ୟକ୍ରମ ସମୟରେ ଅନ୍ନାମଲାଇ କହିଥିଲେ, ଏହା ଦଳର ଏକ ଅତ୍ୟନ୍ତ ବ୍ୟବହାରିକ ନିଷ୍ପତ୍ତି ଏବଂ ଏହାର ଫଳାଫଳ ୨୦୨୬ରେ ଦେଖାଯିବ। ସେ କହିଛନ୍ତି, ଆମେ ମେଣ୍ଟର ଅଂଶ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏହି ମେଣ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ।
ସେ କହିଥିଲେ,ଯଦି ଆପଣ ଛଅ ମାସ ପୂର୍ବରୁ ମୋତେ ପଚାରିଥାନ୍ତେ, ତେବେ ମୁଁ ବିଜେପିକୁ ଏକାକୀ ନିର୍ବାଚନ ଲଢ଼ିବାକୁ କହିଥାନ୍ତି। ନେତୃତ୍ୱ ସମସ୍ତ ଦଳର କଥା ଶୁଣୁଛନ୍ତି ଏବଂ ୨୦୨୬ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା ନିଷ୍ପତ୍ତି ନେଉଛନ୍ତି।
ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା ବିଷୟରେ ସେ କହିଛନ୍ତି, ଅମିତ ଶାହ ଜୀ ସ୍ପଷ୍ଟ ଭାବରେ କହିଥିଲେ, ଇ ପଲାନିସ୍ୱାମୀ ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ଆମେ ଲୋକଙ୍କୁ ଭ୍ରମିତ କରିପାରିବୁ ନାହିଁ। ଦଳ ଗୋଟିଏ ପଟେ ଅଛି, ବିଚାରଧାରା ଅନ୍ୟ ପଟେ। ଲୋକମାନେ ଜଣେ ନେତା ଚାହାନ୍ତି ଏବଂ ଯଦି ସେ ଇ ପଲାନିସ୍ୱାମୀ(ଇପିଏସ) ତେବେ ଆମେ ତାଙ୍କୁ ସମର୍ଥନ କରିବୁ। ସେ ୨୦୨୬ରେ ମୁଖ୍ୟମନ୍ତ୍ରୀ ହେବେ।
ସୂଚନାଯୋଗ୍ୟ, ଯେତେବେଳେ ଭାରତୀୟ ଜନତା ପାର୍ଟି ଏଆଇଏଡିଏମକେ ସହିତ ମେଣ୍ଟ କରିଥିଲା, ସେତେବେଳେ ତତ୍କାଳୀନ ରାଜ୍ୟ ସଭାପତି କେ. ଅନ୍ନାମଲାଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ, ସେ ଦଳର ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।