ବିଜେପିର ହିମାଚଳ ଦଖଲ:ପରାଜିତଙ୍କ ତାଲିକାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧୁମାଲ, ୪ ମନ୍ତ୍ରୀ

ବିଜେପିର-ହିମାଚଳ-ଦଖଲ

ନୂଆଦିଲ୍ଲୀ: ସବୁ କଳ୍ପନାର ଅନ୍ତ ଘଟାଇ ୬୮ ଆସନ ବିଶିଷ୍ଟ ହିମାଚଳପ୍ରଦେଶ ବିଧାନସଭାର ପ୍ରାୟ ଦୁଇ ତୃତୀୟାଂଶ ଆସନ ଦଖଲ କରି ବିଜେପି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଶାସନରେ ଥିବା କଂଗ୍ରେସକୁ ୨୧ଟି ଆସନରେ ସୀମିତ ହେବାକୁ ପଡ଼ିଥିବା ବେଳେ ବିଜେପି ୪୪ଟି ଆସନ ହାତେଇନେଇଛି। ସେହିପରି ଗୋଟିଏ ଆସନ ସିପିଏମ୍‌ ଏବଂ ଅନ୍ୟ ଦୁଇଟି ଆସନ ନିର୍ଦ୍ଦଳୀୟଙ୍କ ଖାତାରେ ପଡ଼ିଛି। ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଆର୍କି ଆସନରୁ ୩୪,୪୪୯ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମକୁମାର ଧୁମଲ ସୁଜନପୁର ଆସନରୁ କଂଗ୍ରେସର ରାଜିନ୍ଦର ରାଣାଙ୍କ ଠାରୁ ୩,୦୦୦ରୁ ଅଧିକ ଭୋଟରେ ହାରିଯାଇଛନ୍ତି। ତେବେ ଦଳର ବିଶାଳ ବିଜୟରେ ତାଙ୍କ ପରାଜୟ ଫିକା ପଡ଼ିଯାଇଛି ବୋଲି ଧୁମାଲ କହିଛନ୍ତି। ସେହିପରି ରାଜ୍ୟ ବିଜେପି ମୁଖ୍ୟ ସତପାଲ ସିଂହ ସତ୍ତିଙ୍କ ସମେତ କ୍ୟାବିନେଟ୍‌ ମନ୍ତ୍ରୀ ସୁଧୀର ଶର୍ମା, ଠାକୁର ସିଂହ ଏବଂ ପ୍ରକାଶ ଚୌଧୁରୀ ମଧ୍ୟ ପରାଜୟ ଭୋଗିଥିବା ଜଣାଯାଇଛି।

ଅପରପକ୍ଷେ, ସୂଚନା ଥାଉ କି, ଗତମାସ ୯ ତାରିଖରେ ହିମାଚଳ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ରେକର୍ଡ ୭୫.୨୨ ପ୍ରତିଶତ ମତଦାନ ହୋଇଥିଲା। ତେବେ ସେଥିରୁ ପ୍ରାୟ ୦.୯ ପ୍ରତିଶତ(୩୩,୦୦୦ରୁ ଅଧିକ) ନୋଟାରେ ପଡ଼ିଛି। ସେହିପରି ମୋଟାମୋଟି ଭାବେ ବିଜେପି ଭାଗରେ ୪୮.୭ ପ୍ରତିଶତ ଏବଂ କଂଗ୍ରେସ ସପକ୍ଷରେ ୪୧.୮ ପ୍ରତିଶତ ସମର୍ଥନ ରହିଥିବା ଥିବା ଭୋଟଗଣନାରୁ ଜଣାଯାଇଛି।

ବିଜେପି ଓ କଂଗ୍ରେସ ୬୮ଟି ଯାକ ଆସନରେ ଲଢ଼ିଥିବା ବେଳେ ବିଏସ୍‌ପି ୪୨ଟିରେ, ସିପିଏମ୍‌ ୧୪ଟିରେ, ଏଲ୍‌ଜିପି ୬ଟିରେ, ସିପିଆଇ ୩ଟିରେ ଏବଂ ନିର୍ଦ୍ଦଳୀୟଙ୍କ ସମେତ ମୋଟ ୩୩୮ ଜଣ ଆଶାୟୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଥିଲେ। ଅନ୍ୟ ପ୍ରମୁଖ ଆଶାୟୀଙ୍କ ମଧ୍ୟରେ ୬୭ ଜଣ ବିଧାୟକ, ୯ ଜଣ କ୍ୟାବିନେଟ୍‌ ମନ୍ତ୍ରୀ, ରାଜ୍ୟ କଂଗ୍ରେସ ମୁଖ୍ୟ ସୁଖବିନ୍ଦର ସିଂହ ସୁଖୁ, ରାଜ୍ୟ ବିଜେପି ମୁଖ୍ୟ ସତପାଲ ସିଂହ ସତ୍ତି ଏବଂ ଉପବାଚସ୍ପତି ଜଗଜିତ ସିଂହ ନେଗିଙ୍କସସମେତ ୧୨ ଜଣ ପୂର୍ବତନ ମନ୍ତ୍ରୀ ମଧ୍ୟ ସାମିଲ ଥିଲେ।

ସମ୍ବନ୍ଧିତ ଖବର