କୁନ୍ଦୁଲି ମାମଲା : ପହଞ୍ଚିଲେ ବିଜେପିର କେନ୍ଦ୍ରୀୟ ଟିମ, ୫ରେ ଆସିବେ ଏନଏଚଆରସି ଟିମ୍‌

ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡିତାର ଆତ୍ମହତ୍ୟା ମାମଲା ଦିନକୁ ଦିନ ଅଧିକ ସରଗରମ ହେବାରେ ଲାଗିଛି । ଏହି ଘଟଣାର ତଦନ୍ତ କରିବା ପାଇଁ ବିଜେପିର ଏକ କେନ୍ଦ୍ରୀୟ ଟିମ ଆଜି ଭୁବନେଶ୍ୱରରେ ପହଞ୍ଚିଥିବାବେଳେ, ଆସନ୍ତା ୫ରେ ଜାତୀୟ ମାନବାଧିକାର ଆୟୋଗର ଏକ ଦଳ ଓଡ଼ିଶା ଆସୁଛନ୍ତି ।

କୁନ୍ଦୁଲି ଘଟଣାରେ ସରଜମିନ ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ର ଏକ ୪ ଜଣିଆ ଦଳ ଆସନ୍ତା ୫ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଡିଏସପି ରବି ସିଂଙ୍କ ନେତୃତ୍ୱରେ ଏହି ଦଳ କୁନ୍ଦୁଲି ଯାଇ ସରଜମିନ ତଦନ୍ତ କରି ଏନଏଚଆରସି ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବେ । ଏହି ୪ଜଣିଆ ଦଳରେ ନେହା ଯାଦବ,ଆରୁଣ ଓ ଲାଲ୍‌ ବାହାର ସଦସ୍ୟ ଅଛନ୍ତି । ଏହି ଦଳ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ବାତାବରଣ ଗରମ ରହିଛି । ଏବେ ଏହି କଳିରେ କେନ୍ଦ୍ରୀୟ ବିଜେପି ମଧ୍ୟ ପ୍ରବେଶ କରିଛି । ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ବିଜେପିର ଏକ ପ୍ରତିନିଧିମଣ୍ଡଳ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି । ଏହି ଦଳ କୁନ୍ଦୁଲି ଯାଇ ତଦନ୍ତ କରିବା ସହ ପୀଡିତାର ପରିବାର ଲୋକ, ତଦନ୍ତକାରୀ ଅଫିସରମାନଙ୍କୁ ଭେଟିବେ । ଏହାପରେ ସେ ଆସନ୍ତା କାଲି ଭୁବନେଶ୍ୱର ଫେରି ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର