ବୁଝାମଣା ପରେ ଜୟପୁର ଫେରିଲେ ପାଇଲଟ୍‌

ରଣନୀତି ବଦଳାଇବ ବିଜେପି, ୧୩ରେ ବୈଠକ

ଜୟପୁର: ରାଜସ୍ଥାନର ବିଦ୍ରୋହୀ ନେତା‌ ସଚିନ ପାଇଲଟ୍‌ ଦୀର୍ଘ ଏକ ମାସର ହାଇଡ୍ରାମା ପରେ ଶେଷରେ ଜୟପୁର ଫେରିଛନ୍ତି। କିନ୍ତୁ ପାଇଲଟ୍‌ ଟିମ୍‌ଙ୍କ ଜୟପୁର ପ୍ରତ୍ୟାବର୍ତ୍ତନକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସହଜରେ ଗ୍ରହଣ କରିପାରିନଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ କଂଗ୍ରେସ ନେତା ରାହୁଲ ଏବଂ ପ୍ରିୟଙ୍କାଙ୍କ ସହ ପାଇଲଟ୍‌ ଗୋଷ୍ଠୀର ବୈଠକ ହୋଇଥିଲା। ବୈଠକରେ ଉତ୍ତମ ବୁଝାମଣା ହୋଇଛି ଏବଂ ପାଇଲଟ୍‌ ଟିମ୍‌ଙ୍କ ଅଭିଯୋଗ ଶୁଣାଯାଇଥିବାରୁ ସେମାନେ ଜୟପୁର ଫେରିଛନ୍ତି। କିନ୍ତୁ ଗେହଲଟ୍‌ ଏହି ବୁଝାମଣାକୁ ସହଜରେ ଗ୍ରହଣ କରିପାରୁନଥିବା ଆଲୋଚନା ହେଉଛି। ଗେହଲଟ୍‌ ଆଜି ସକାଳେ ଜୟସଲମେର ଯାଇ ତାଙ୍କ ଟିମ୍‌ର ବିଧାୟକମାନଙ୍କୁ ଭେଟିଛନ୍ତି।

ଗେହଲଟ୍‌ଙ୍କ ଟିମ୍‌ର ବିଧାୟକମାନେ ମଧ୍ୟ ପାଇଲଟ୍‌ଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଖୁବ୍‌ ନିରାଶ ଥିବା ଜଣାପଡ଼ିଛି। ଗତ ରବିବାର ବିଧାୟକମାନେ କହିଥିଲେ ଯେ, ବିଦ୍ରୋହୀ ବିଧାୟକମାନେ ଧୋକା ଦେଇଥିବାରୁ ସେମାନଙ୍କୁ ଦଣ୍ଡ ମିଳିବା ଉଚିତ୍‌। ସେମାନେ ଦଳକୁ ନଫେରିବା ଉଚିତ୍‌ ବୋଲି ବିଧାୟକମାନେ କହିଥିଲେ। ତେବେ ରିପୋର୍ଟ ଅନୁଯାୟୀ ବିଦ୍ରୋହୀ ବିଧାୟକମାନଙ୍କୁ ମନ୍ତ୍ରୀ ପଦ ମିଳିପାରେ। ପାର୍ଟି ହାଇକମାଣ୍ଡ୍‌ ଏଥିରେ ରାଜି ହୋଇଛନ୍ତି। କିନ୍ତୁ ପାଇଲଟ୍‌ଙ୍କୁ ଉଭୟ ଉପମୁଖ୍ୟମନ୍ତ୍ରୀ ଏବଂ ଦଳ ରାଜ୍ୟ ସଭାପତି ପଦ ମିଳିବ ନାହିଁ ବୋଲି ଜଣାପଡ଼ିଛି। ଗେହଲଟ୍‌ କହିଛନ୍ତି ତାଙ୍କ ପ୍ରତି ଯେଉଁ ବିଧାୟକମାନେ ବିରକ୍ତି ଭାବ ପ୍ରକାଶ କରିଛନ୍ତି ସେମାନଙ୍କ ଅଭିଯୋଗ ଶୁଣିବା ତାଙ୍କ ଦାୟିତ୍ବ।

ରଣନୀତି ବଦଳାଇବ ବିଜେପି, ୧୩ରେ ବୈଠକ
ନୂଆଦିଲ୍ଲୀ: ପାଇଲଟ୍‌ ଗୋଷ୍ଠୀର ବିଦ୍ରୋହ ଶେଷ ହେବାପରେ ବିଜେପି ରାଜସ୍ଥାନ ପାଇଁ ପ୍ରସ୍ତୁତ କରିଥିବା ରଣନୀତି ବଦଳାଇ ଦେଇଛି। ଆସନ୍ତା ୧୪ ତାରିଖରେ ରାଜସ୍ଥାନ ବିଧା‌ନସଭା ଅଧିବେଶନ ଡକାଯାଇଥିବା ବେଳେ ଏହିଦିନ ଶକ୍ତି ପରୀକ୍ଷା ହେବାର ସମ୍ଭାବନା ଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ କ’ଣ ହେବ କିଛି କହି ହେଉନି। ଅନ୍ୟପକ୍ଷେ ବିଧାନସଭା ଅଧିବେଶନର ଅବ୍ୟବହିତ ପୂର୍ବରୁ ବିଜେପି ଆଜି ଏକ ‌ବୈଠକ ଡାକିଥିଲା। କିନ୍ତୁ ଗତକାଲିର ଘଟଣା ପରେ ବିଜେପି ଏହାର ବୈଠକ ବାତିଲ କରିଦେଇଛି। ଆସନ୍ତା ୧୩ ତାରିଖରେ ବିଜେପିର ‌ବୈଠକ ଅନୁଷ୍ଠିତ ହେବ। ବିରୋଧୀ ‌ଦଳ ନେତା ଗୁଲାବଚାନ୍ଦ କାଟାରିଆ କହିଛନ୍ତି, ବୁଝାମଣା ସତ୍ତ୍ବେ କଂଗ୍ରେସ ୫ ବର୍ଷ କାର୍ଯ୍ୟକାଳ ଶେଷ କରିପାରିବ ନାହିଁ। ତେବେ ଆଗାମୀ ବୈଠକରେ ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଯୋଗ ଦେବେନି ବୋଲି ସେ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ବିଜେପିର ଷଡ଼ଯନ୍ତ୍ର କାମ ଦେଲାନି ବୋଲି ସେମାନେ ହୃଦ୍‌ବୋଧ କଲେ ଏବଂ ଏଥିପାଇଁ ବୈଠକ ବାତିଲ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ସରକାର ଭାଙ୍ଗିବାପାଇଁ ବିଜେପି ଷଡ଼ଯନ୍ତ୍ର କରୁଛି ଏବଂ ଏହା ମୋଟା ଅଙ୍କର ଟଙ୍କା ଦେଇ ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରୁଛି ବୋଲି ଗେହଲଟ୍‌ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର