ଦିଲ୍ଲୀରେ ବିଜେପି ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ:୫ ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦୀଙ୍କ ଭାଗ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ଦିଲ୍ଲୀରେ ୧୫ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମିସନ୍‌-୨୦୧୯ ନେଇ ଆଲୋଚନା କରିଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟରେ ଦେଶର ୫ଟି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏଥର ୨୦୧୯ରେ ମଧ୍ୟ ୫ଟି ପ୍ରମୁଖ୍ୟ ରାଜ୍ୟର ବିଜେପି ସରକାରମାନେ ମୋଦୀ ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ୫ଟି ରାଜ୍ୟ ହେଲା ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ର। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଏବେ ସବୁଠାରୁ ବଡ଼ ଆହ୍ଵାନ ସୃଷ୍ଟି ହୋଇଛି। ଗତ ଲୋକସଭା ନିର୍ବାଚନରେ ଏଠାରେ ବିଜେପି ୮୦ ଲୋକସଭା ଆସନରୁ ୭୧ ଆସନରେ ବିଜୟୀ ହୋଇଥିଲା ଏବଂ ଆଉ ୨ଟି ଆସନ ବିଜେପିର ସହଯୋଗୀ ଦଳ ହାତକୁ ଯାଇଥିଲା।

ଏନ୍‌୍‌ଡିଏକୁ ୟୁପିରେ ୭୩ ଆସନ ମିଳିଥିବାରୁ ୨୦୧୯ରେ ଏହି ସଫଳତାକୁ ଦୋହରାଇବା ଦାୟିତ୍ୱ ଏବେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଉପରେ ନ୍ୟସ୍ତ ହୋଇଛି।
ସେହିଭଳି ମଧ୍ୟପ୍ରଦେଶରେ ଦୀର୍ଘ ୧୩ ବର୍ଷ ହେଲା କ୍ଷମତାରେ ଥିବା ଶିବରାଜ ସିଂହ ଚୌହାନଙ୍କ ସରକାର ଆଉ ଥରେ ନିର୍ବାଚନୀ ସଫଳତା ଦୋହରାଇବା ମୋଦୀ ସରକାର ପାଇଁ ଜରୁରୀ ହୋଇପଡ଼ିଛି। ୨୦୧୪ରେ ଏଠାରେ ବିଜେପି ୨୯ରୁ ୨୭ ଆସନରେ ବିଜୟୀ ହୋଇଥିଲା। ୨୦୧୯ରେ ମୋଦୀ ସରକାର ପୁଣି କ୍ଷମତାକୁ ଫେରିବା ପାଇଁ ମଧ୍ୟପ୍ରଦେଶରେ ଦଳର ସଫଳତା ଉପରେ ମଧ୍ୟ ଅନେକ କିଛି ନିର୍ଭର କରୁଛି। ୨୦୧୪ ଲୋକସଭା ନିର୍ବାଚନରେ ରାଜସ୍ଥାନର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ରାଜ୍ୟରେ ଏବେ ବିଜେପିର ୨୩ ସାଂସଦ ଅଛନ୍ତି। ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ ସରକାର ବିରୋଧୀ ଅସନ୍ତୋଷ ତେଜୁଥିବାରୁ ଏହା ମୋଦୀ ସରକାରଙ୍କ ସଙ୍କଟ ବଢ଼ାଇବ ବୋଲି କୁହାଯାଉଛି। ତେଣୁ ରାଜସ୍ଥାନରେ ସ୍ଥିତି ସୁଧାରିବା ପାଇଁ ବିଜେପି ଅଧିକ ଗୁରୁତ୍ୱ ଦେଉଛି।
ଗୁଜରାଟରେ ବିଜେପିର ଐତିହାସିକ ସଫଳତାକୁ ପୁଣି ଦୋହରାଇବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁରୁତ୍ୱାରୋପ କରିଛନ୍ତି। ୨୦୧୪ରେ ରାଜ୍ୟର ସମସ୍ତ ୨୬ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିବାରୁ ୨୦୧୯ରେ ଏହି ସଫଳତାର ପୁନରାବୃତ୍ତି ପାଇଁ ଦଳ ସୁଦୃଢ଼ ରଣନୀତି ତୟାର କରିଛି ଏବଂ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ନେତୃତ୍ୱ ଉପରେ ଅନେକ କିଛି ନିର୍ଭର କରୁଛି। ବିଜେପି ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ହେଉଛି ମହାରାଷ୍ଟ୍ର। ଏଠାରେ ୪୮ ଲୋକସଭା ଆସନରୁ ୨୦୧୪ରେ ବିଜେପି ୨୩ ଆସନ ହାସଲ କରିଥିଲା ଏବଂ ଶିବସେନା ୧୮ ଆସନରେ ବିଜୟୀ ହୋଇଥିଲା। ଶିବସେନା ସହ ମେଣ୍ଟ ଭାଙ୍ଗିଲେ ବିଜେପିକୁ ଏବେ ଏଠାରେ ଏକାକୀ ନିର୍ବାଚନ ଲଢ଼ିବାକୁ ପଡ଼ିବ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ବିଜେପି ବିରୋଧୀ ମହାମେଣ୍ଟର ମଧ୍ୟ ମୁକାବିଲା କରିବାକୁ ହେବ।

ସମ୍ବନ୍ଧିତ ଖବର