ଚକା-ଜାମ ବେଳେ ଲୁଧିଆନାରେ ଖଲିସ୍ତାନୀ ଆତଙ୍କବାଦୀ ଭିନ୍ଦ୍ରାନଓ୍ବାଲା ଚିତ୍ର ଥିବା ପତାକା ପ୍ରଦର୍ଶନ, ଭିଡିଓ ଜାରି କଲା ବିଜେପି

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନଗୁଡ଼ିକ ଦେଶବ୍ୟାପି ୩ ଘଣ୍ଟିଆ ଚକା-ଜାମ କରିଛନ୍ତି । ସାରା ଦେଶରେ ଏହାର ସାମାନ୍ୟ ପ୍ରଭାବ ରହିଥିବାବେଳେ ପଂଜାବ, ହରିୟାଣା ଓ ରାଜସ୍ଥାନରେ ଏହାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଥିଲା । ରାଜ୍ୟରେ ଆନ୍ଦୋଳନକାରୀମାନେ ଟ୍ରାକ୍ଟର ଚଳାଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଥିଲେ ।

କିନ୍ତୁ ଏହି ଆନ୍ଦୋଳନ ନାଁରେ ପଂଜାବର କେତେକ ସ୍ଥାନରେ ଖଲିସ୍ତାନ ପତାକା ପ୍ରଦର୍ଶନ କରାଯାଇଛି । ଲୁଧିଆନାର ଗୋଟିଏ ଟ୍ରାକ୍ଟରରେ ଖଲିସ୍ତାନୀ ଆତଙ୍କବାଦୀ ଜର୍ନେଲ ସିଂ ଭିନ୍ଦ୍ରାନଓ୍ବାଲାର ଚିତ୍ର ଥିବା ପତାକା ପ୍ରଦର୍ଶନ କରାଯାଇଥିବା ବିଜେପି ଅଭିଯୋଗ କରିଛି । ଏ ସମ୍ପର୍କରେ ବିଜେପି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି ।

 

ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଚକା-ଜାମ ବେଳେ ଖଲିସ୍ତାନି ଆତଙ୍କବାଦୀ ଜର୍ନେଲ ସିଂ ଭିନ୍ଦ୍ରାନଓ୍ବାଲାର ଚିତ୍ର ଥିବା ପତାକା ପ୍ରଦର୍ଶନ କରାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ରାଜ୍ୟର ଆଇନ ଶୃଙ୍ଖଳା ଭୁଷୁଡ଼ି ପଡ଼ିଛି । ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ କଣ କରୁଛନ୍ତି ?

ଆଜିର ଚକା-ଜାମ ବେଳେ ଆନ୍ଦୋଳନକାରୀମାନେ ପଞ୍ଜାବ ଓ ହରିୟାଣାର ବିଭିନ୍ନ ସ୍ଥାନରେ ଥିବା ପ୍ରମୁଖ ରାସ୍ତାଗୁଡ଼ିକୁ ବନ୍ଦ କରିଦେଇଥିଲେ । ଏହା ଫଳରେ ଲୋକମାନଙ୍କ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଜର୍ନେଲ ସିଂ ଭିନ୍ଦ୍ରାନଓ୍ବାଲା ହେଉଛି ଜଣେ ଶିଖ ଧାର୍ମିକ ନେତା (ଜଠେଦାର) ଓ ସ୍ବତନ୍ତ୍ର ଖଲିସ୍ତାନ ରାଷ୍ଟ୍ରର ସମର୍ଥକ । ଜୁନ ୬, ୧୯୮୪ରେ ଅପରେସନ ବ୍ଲୁ ଷ୍ଟାର ବେଳେ ଭାରତୀୟ ସେନା ହାତରେ ସେ ମୃତ୍ୟୁବରଣ କରିଥିଲା ।

ସମ୍ବନ୍ଧିତ ଖବର