ରାଜସ୍ଥାନ ଉପନିର୍ବାଚନରେ ବିଜେପି ସଫା

କଂଗ୍ରେସ ପୋଛିନେଲା ୩ଟି ଯାକ ଆସନ

ଜୟପୁର(ରାଜସ୍ଥାନ): ରାଜସ୍ଥାନ ଉପନିର୍ବାଚନରେ ଶାସକ ବିଜେପିକୁ ଶକ୍ତ ଧକ୍କା ଲାଗିଛି। ଏଠାରେ ବିଜେପିର ଦୁଇ ଜଣ ଲୋକସଭା ସାଂସଦ ଏବଂ ଜଣେ ବିଧାୟକଙ୍କ ମୃତ୍ୟୁ ଯୋଗୁଁ ହୋଇଥିବା ଉପନିର୍ବାଚନରେ ତିନିଟା ଯାକ ଆସନକୁ କଂଗ୍ରେସ ପୋଛିନେଇଛି। ମନ୍ଦଲଗଡ଼ ବିଧାନସଭା ଆସନ ସମେତ ଆଜମେର୍‌ ଓ ଅଲଓ୍ଵାର ଲୋକସଭା ଆସନକୁ ଦଖଲ କରି କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ଶକ୍ତ ରହିଥିବା ସଂକେତ ଦେଇଛି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଶୀର୍ଷ ଯୋଦ୍ଧା ଥିବା ସଚିନ୍‌ ପାଇଲଟ, ସିପି ଯୋଶୀ ଏବଂ ଜିତେନ୍ଦ୍ର ସିଂହ ଭଓ୍ଵାଁରଙ୍କ ପ୍ରଭାବ ଥିବା ଏହି ତିନିଟି ଯାକ ଆସନରେ କଂଗ୍ରେସ ବିଜେପିକୁ ନୟାନ୍ତ କରି ରାହୁଲଙ୍କ ଲୋକପ୍ରିୟତା ବଢ଼ିଥିବା ପ୍ରମାଣିତ କରିଛି। ଉଲ୍ଲସିତ ରାହୁଲ୍‌ ରାଜ୍ୟବାସୀଙ୍କୁ ସାଧୁବାଦ ଜଣାଇବା ସହ ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଟ୍ଵିଟରରେ ପ୍ରତିକ୍ରିୟା ରଖିିଛନ୍ତି। ସେହିପରି ରାଜ୍ୟ ଶାସନକୁ କଂଗ୍ରେସର ଫେରିବାର ବେଳ ଉପନୀତ ହୋଇଛି ବୋଲି ପ୍ରଚାର ମଙ୍ଗ ସମ୍ଭାଳିଥିବା ଯୁବନେତା ସଚିନ ପାଇଲଟ କହିଛନ୍ତି। ନିଜ ହାତରୁ ଆସନ ହରାଇ ଶୋଚନୀୟ ପରାଜୟରେ ମର୍ମାହତ ବିଜେପି ପାଇଁ ଆତ୍ମସମୀକ୍ଷାର ବେଳ ଆସିଛି ବୋଲି ରାଜନୀତି ବିଶାରଦମାନେ ମତ ରଖିଛନ୍ତି। ତେବେ ଦଳ ଏଭଳି ପରାଜୟ ପଛର କାରଣ ଅନୁଧ୍ୟାନ କରିବ ବୋଲି ବିଜେପି ନେତା କୈଳାସ ବିଜୟଭର୍ଗୀୟ ମତ ରଖିବା ସହ ଏହି ଫଳାଫଳ ସମଗ୍ର ଚିତ୍ରକୁ ପ୍ରତିଫଳିତ କରିବନି ବୋଲି କହିଛନ୍ତି। ଅପରପକ୍ଷେ, ଦଳର ଏପରି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜକୁ ଦାୟୀ କରିବା ସହ ଲୋକଙ୍କ ପାଇଁ ସେବା ସେମିତି ଜାରି ରହିବ ବୋଲି କହିଛନ୍ତି।

ସୂଚନା ଥାଉ କି, ମନ୍ଦଲଗଡ଼ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିବେକ ଧକଡ଼ ୧୨,୯୭୬ ଭୋଟ୍‌ ବ୍ୟବଧାନରେ ବିଜେପିର ଶକ୍ତି ସିଂହ ହଦାଙ୍କୁ ହରାଇଦେଇଛନ୍ତି। ସେହିପରି ଅଲଓ୍ଵାର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ କରଣ ସିଂହ ଯାଦବ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଯଶବନ୍ତ ଯାଦବଙ୍କୁ ପାଖାପାଖି ଲକ୍ଷେ ୯୬ ହଜାର ଭୋଟରେ ହରାଇଦେଇଛନ୍ତି। ଆଜମେର ଲୋକସଭା ଆସନରେ ମଧ୍ୟ କଂଗ୍ରେସର ରଘୁ ଶର୍ମା ବିଜେପି ପ୍ରାର୍ଥୀ ରାମ ସ୍ୱରୂପ ଲାମ୍ବାଙ୍କ ଠାରୁ ୮୦ ହଜାରରୁ ଅଧିକ ଭୋଟ ପାଇଁ ବିଜେତା ହୋଇଛନ୍ତି। ଏହି ଉପନିର୍ବାଚନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପାଇଁ ସମ୍ମାନର ପ୍ରଶ୍ନ ରହିଥିବା ବେଳେ କଂଗ୍ରେସ ପାଇଁ ଲୋକଙ୍କ ଭିତରେ ଆସ୍ଥା ଫେରିପାଇବାର ସୁଯୋଗ ରୂପେ ଉଭା ହୋଇଥିଲା। ଏହାକୁ ଉପନିର୍ବାଚନ ନମଣି ପୂର୍ଣ୍ଣମାତ୍ରାର ନିର୍ବାଚନ ଭାବେ ଗ୍ରହଣ କରି ବସୁନ୍ଧରା ରାଜେ ସିନ୍ଧିଆ ଏବଂ କଂଗ୍ରେସର ସଚିନ ପାଇଲଟ୍‌ ପ୍ରଚାରକୁ ଜୋରଦାର୍‌ କରିଥିଲେ। ରାଜ୍ୟରେ ଗୋସୁରକ୍ଷା ନାମରେ ମୁସ୍‌ଲିମ୍‌ଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବାରେ ବସୁନ୍ଧରାଙ୍କ ବିଜେପି ସରକାର ବିଫଳ ବୋଲି ଚର୍ଚ୍ଚା ହେଉଥିଲା। ଅପରପକ୍ଷେ, ରାଜ୍ୟରେ ଶାସନ ବିରୋଧୀ ହାଓ୍ଵାକୁ ପ୍ରତିହତ କରିବାରେ ବସୁନ୍ଧରା ବିଫଳ ହୋଇଥିବା ଫଳାଫଳରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର