ବିଜେପି ନିର୍ବାଚନ କମିସନଙ୍କ ଦ୍ବାରସ୍ଥ, ପଶ୍ଚିମବଙ୍ଗକୁ ‘ଅତି ସମ୍ବେଦନଶୀଳ ରାଜ୍ୟ’ ଘୋଷଣା ଦାବି

ନୂଆଦିଲ୍ଲୀ :  ପଶ୍ଚିମବଙ୍ଗକୁ ‘ଅତି ସମ୍ବେଦନଶୀଳ ରାଜ୍ୟ’ ଘୋଷଣା କରିବାପାଇଁ ଆଜି ବିଜେପି ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାବି ହୋଇଛି। ପଶ୍ଚିମବଙ୍ଗରେ ନିରପେକ୍ଷ ଏବଂ ହିଂସାମୁକ୍ତ ଲୋକସଭା ନିର୍ବାଚନ ପାଇଁ   ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ପାଇଁ ମଧ୍ୟ ବିଜେପି  ନିର୍ବାଚନ କମିସନ‌ଙ୍କ ନିକଟରେ ଦାବି ଉପସ୍ଥାପନ କରିଛି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ,  ଜେପି ନଡ୍ଡା , ଦଳର ସାଧାରଣ ସଚିବ ଭୁପେନ୍ଦ୍ର ଯାଦବ ଏବଂ କୈଳାଶ ବିଜୟବର୍ଗୀୟଙ୍କ ନେତୃତ୍ବରେ   ପ୍ରତିନିଧି ଦଳ ଆଜି ନିର୍ବାଚନ କମିସନଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି ଏବଂ ବିଜେପିର ଦାବି ସମ୍ପର୍କରେ ଅବଗତ କରିଛନ୍ତି। ବୈଠକ ପରେ  ରବିଶଙ୍କର ଗଣମାଧ୍ୟମକୁ  କହିଥିଲେ ଯେ ପଶ୍ଚିମବଂଗରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ଲୋଡ଼ା। ସେହିପରି ପୂର୍ବତନ ‌କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ନିର୍ବାଚନ ଡ୍ୟୁଟିରୁ ବାଦ୍‌  ଦେବାପାଇଁ ବିଜେପି  ଦାବି କରିଛି।   କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମଧ୍ୟ ଆଜି  ନିର୍ବାଚନ କମିସନଙ୍‌କ ନିକଟରେ ଅଭି‌ଯୋଗ କରିଛି ବିଜେପି। ରାହୁଲ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଗତକାଲି ଅହମଦାବାଦ୍‌ ରୢାଲିରେ ରାହୁଲ ମୋଦୀଙ୍କ ବିରୋଧରେ ଭିତ୍ତିହୀନ ଅଭି‌‌ଯୋଗ ଆଣିଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ସାରିଥିବାବେଳେ ରାହୁଲ ମୋଦୀଙ୍କ ବିରୋଧରେ ବେପରୁଆ ଓ ଲଗାମଛଡ଼ା ଅଭିଯୋଗ ଆଣି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର