ୱାସିଂଟନ: ଆମେରିକାରେ ରିପବ୍ଲିକାନ୍ ପ୍ରାର୍ଥୀ ତଥା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଛି, ଏହାକୁ ନେଇ ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍ ଦଳ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।
ଗତକାଲି ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ‘ଏକ୍ସ’ରେ ଲେଖିଥିଲେ ଯେ ତୃତୀୟ ଥର ଫେଲ୍ ହୋଇଥିବା ରାହୁଲ ଗାନ୍ଧୀ ସର୍ବଦା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ହିଂସା ଯଥାର୍ଥ ବୋଲି କହି ପ୍ରୋତ୍ସାହିତ କରିଆସୁଛନ୍ତି। ଏକଦା ପଞ୍ଜାବରେ ତତ୍କାଳୀନ କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାକୁ ଜାଣିଶୁଣି ଦୁର୍ବଳ କରିଥିଲା।
ମୋଦୀଙ୍କ ବିରୋଧରେ ହିଂସାକୁ ଉସ୍କାଉଛନ୍ତି ରାହୁଲ: ବିଜେପି
ଏହା ଏକ ଶସ୍ତା ରାଜନୀତି: କଂଗ୍ରେସ
ପ୍ରଧାନମନ୍ତ୍ରୀଙ୍କ କାରକେଡ୍କୁ ଏକ ଫ୍ଲାଏଓଭର ଉପରେ ବିପଦ୍ଜନକ ଅବସ୍ଥାରେ ଅଟକାଇ ଦିଆଯାଇଥିଲା। ବିଜେପିର ଏଭଳି ଅଭିଯୋଗକୁ ଆଜି କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ବିରୋଧ କରିଛି। ଦଳର ଗଣମାଧ୍ୟମ ଓ ପ୍ରସାର ବିଭାଗ ମୁଖ୍ୟ ପବନ ଖେଡ଼ା କହିଛନ୍ତି, ନେତାଙ୍କ ସୁରକ୍ଷାକୁ ନେଇ ଶସ୍ତା ରାଜନୀତି କରାଯିବା ଉଚିତ ନୁହେଁ। ଦକ୍ଷିଣପନ୍ଥୀ ଆତଙ୍କବାଦୀ ହାତରେ କଂଗ୍ରେସ ଦଳ ମହାତ୍ମାଜୀଙ୍କୁ ହରାଇଛି। ବାମପନ୍ଥୀ ଆତଙ୍କବାଦୀଙ୍କ ପାଇଁ ଆମ ଦଳର ସମସ୍ତ ଛତିଶଗଡ଼ ନେତାଙ୍କୁ ହରାଇଛୁ। ଏହି ସମସ୍ତ ବିଜେପି ସରକାରର ଅଧୀନରେ ହୋଇଛି। ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀଙ୍କ ବିରୋଧୀରେ ପ୍ରଧାନମନ୍ତ୍ରୀ ମୋଦୀ ମିଛ କହୁଛନ୍ତି, ଏହା ସହ ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାକୁ ‘ରହସ୍ୟମୟ’ଭାବେ ପ୍ରତ୍ୟାହାର କରିଦେଇଛନ୍ତି।