ବେଙ୍ଗାଲୁରୁ: ହୁବଲିର ଏକ କଲେଜ କ୍ୟାମ୍ପସରେ ଜଣେ କଂଗ୍ରେସ କର୍ପୋରେଟରଙ୍କ ଝିଅଙ୍କ ହତ୍ୟା ଘଟଣାକୁ ନେଇ କଂଗ୍ରେସ ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ କର୍ଣ୍ଣାଟକରେ କଂଗ୍ରେସ କର୍ପୋରେଟର ଥିବା ପୀଡ଼ିତାଙ୍କ ବାପାଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ସହ ସ୍ବର ମିଳାଇ ସେ ନିଜ ଝିଅ ‘ଲଭ୍ ଜିହାଦ’ ପରେ ହତ୍ୟାର ଶିକାର ହୋଇଛି ବୋଲି ଅଭିଯୋଗ କରିଛନ୍ତି। ନିଜ ଦଳର ‌ବରିଷ୍ଠ ନେତାମାନେ ଏହାକୁ ବ୍ୟକ୍ତିଗତ ଝଗଡ଼ା ବୋଲି କହୁଥିବାରୁ ସେ ଏହାକୁ କଟୁ ସମାଲୋଚନା କରିଛନ୍ତି।

Advertisment

ହୁବଲି-ଧାରୱାଡ ମହାନଗର ନିଗମର କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରେମଥଙ୍କ ଝିଅ ନେହା (୨୩)ଙ୍କୁ ଗୁରୁବାର ବିଭିବି କଲେଜ ପରିସରରେ ଛୁରି ଭୁସି ହତ୍ୟା କରାଯାଇଥିଲା। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସନ୍ଦିଗ୍ଧ ଫୟାଜ ଖୋଣ୍ଡୁନାଏକକୁ ଗିରଫ କରାଯାଇଥିଲା। ଫୟାଜ ପୂର୍ବରୁ ନେହାଙ୍କ ସହପାଠୀ ଥିଲା। କଂଗ୍ରେସ ଏହି ଘଟଣାକୁ ବ୍ୟକ୍ତିଗତ ଝଗଡ଼ାର ପରିଣାମ ବୋଲି କହୁଥିବା ବେଳେ ବିଜେପି ଏହାକୁ ଲଭ୍ ଜିହାଦ ବୋଲି କହିଛି। ବିଜେପିର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମଧ୍ୟ ହୁବଲି-ଧାରୱାଡରେ ସ୍କୁଲ ଓ କଲେଜ ବନ୍ଦ ରଖିବା ସନ୍ଦିଗ୍ଧଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି। ବେଲଗାଭି ଓ ବେଙ୍ଗାଲୁରୁ ସମେତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ସମାନ ବିକ୍ଷୋଭ ଦେଖିବାକୁ ମିଳିଛି।
କେନ୍ଦ୍ରମନ୍ତ୍ରୀ ତଥା ଧାରୱାଡ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଏହି ଘଟଣା ‘ଲଭ୍ ଜିହାଦ’ର ପରିଣାମ ଏବଂ କଂଗ୍ରେସ ସରକାରଙ୍କ ଅମଳରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଖରାପ ହୋଇଛି। ବରିଷ୍ଠ ବିଜେପି ନେତା ବସବରାଜ ବୋମାଇ କହିଛନ୍ତି ଯେ ସରକାର ଏହାକୁ ଗମ୍ଭୀରତାର ସହ ନେବା ଉଚିତ ଏବଂ ଏକ ଏସ୍‌ଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରାଯିବା ଉଚିତ। ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ ଏହି ଘଟଣାରେ କୌଣସି ‘ଲଭ୍ ଜିହାଦ’ ନାହିଁ।