ନୂଆଦିଲ୍ଲୀ: ରାଜସ୍ଥାନରେ ଅଶୋକ ଗେହଲଟ୍ଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ବେଆଇନ ଭାବେ ରାଜନେତାମାନଙ୍କ ଫୋନ୍ ଟ୍ୟାପ୍ କରୁଥିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାରେ ବିଜେପି ସିବିଆଇ ତଦନ୍ତ ଦାବି କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି କଂଗ୍ରେସ ସରକାରକୁ କଡ଼ା ସମାଲୋଚନା କରିଛି। ରାଜନେତାଙ୍କ ଫୋନ୍ ଟ୍ୟାପ୍ କେଉଁ ଆଧାରରେ କରାଯାଇଛି ାଲି କଂଗ୍ରେସ ହାଇକମାଣ୍ଡ୍ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ବିଜେପି ପ୍ରଶ୍ନ କରିଛି। ଫୋନ୍ ଟ୍ୟାପ୍ କରାଯିବା ପୂର୍ବରୁ ଏସ୍ଓପି (ଷ୍ଟାଣ୍ଡାର୍ଡ୍ ଅପରେଟିଙ୍ଗ୍ ପ୍ରୋସିଜିଓର୍)ର ଅନୁସରଣ କରାଯାଇଥିଲା କି ନା' ସେନେଇ ପ୍ରଶ୍ନ କରାଯାଇଛି। ରାଜସ୍ଥାନ ବାସିନ୍ଦା ସେମାନଙ୍କ ଗୋପନୀୟତା ସୁରକ୍ଷିତ ଅଛି କି ନାହିଁ ତାହା ଜାଣିବାକୁ ଚାହିଛନ୍ତି ବୋଲି ବିଜେପି କହିଛି। କେବଳ କୌଣସି ସ୍ବିକୃତିପ୍ରାପ୍ତ ସଂସ୍ଥା ଦ୍ବାରା ଫୋନ୍ ଟ୍ୟାପ୍ କରାଯାଇଥାଏ ଏବଂ କେନ୍ଦ୍ର ସରକାରଙ୍କ କ୍ଷେତ୍ରରେ କ୍ୟାବିନେଟ୍ ସଚିବଙ୍କ ନେତୃତ୍ବରେ ଗଠିତ କମିଟି ଓ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ରାଜ୍ୟ ସଚିବଙ୍କ ନେତୃତ୍ବରେ ଗଠିତ କମିଟି ମଧ୍ୟ ଏହାର ସମୀକ୍ଷା କରିଥାନ୍ତି।
ତେଣୁ କଂଗ୍ରେସ ସରକାର ରାଜସ୍ଥାନରେ ଏହିସବୁ ନିୟମର ଅନୁପାଳନ କରିଛନ୍ତି କି ନା' ସେନେଇ ବିଜେପି ପ୍ରଶ୍ନ ଉଠାଇଛି ଏବଂ ଉକ୍ତ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି। ତେବେ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଫୋନ୍ ଟ୍ୟାପିଂ ହେବାର କି ପ୍ରମାଣ ବିଜେପି ପାଖରେ ରହିଛି ବୋଲି ପ୍ରଶ୍ନ କରିଛି। ଉଲ୍ଲେଖଯୋଗ୍ୟ ସୋସିଆଲ ମିତିଆରେ ୨ଟି ଅଡିଓ ଟେପ୍ ଭାଇରାଲ୍ ହୋଇଛି। କଂଗ୍ରେସର ୨ ବିଧାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସ୍ବର ଏଥିରେ ଶୁଣିବାକୁ ମିଳିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।