ବିଜେପି-କଂଗ୍ରେସ-ଜେଡିୟୁ ଫାଇଦା ନେଇଥିଲେ

କେମ୍ବି୍ରଜ୍‌ ଆନାଲିଟିକା କେଳେଙ୍କାରୀ

ନୂଆଦିଲ୍ଲୀ: ଫେସ୍‌୍‌ବୁକ୍‌ରୁ ୫ କୋଟି ବ୍ୟବହାରକାରୀଙ୍କ ତଥ୍ୟ ନେଇ ଏହାକୁ ମନୋବୈଜ୍ଞାନିକସ୍ତରରେ ଅସ୍ତ୍ର ଭଳି ବ୍ୟବହାର କରିଥିବା ସଂସ୍ଥା କେମ୍ବି୍ରଜ୍‌ ଆନାଲିଟିକାକୁ ନେଇ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି ହୋଇଥିବା ବେଳେ ଭାରତରେ ମଧ୍ୟ ଏହାକୁ କେନ୍ଦ୍ର କରି ରାଜନୀତି ସରଗରମ ରହିଛି। କେମ୍ବି୍ରଜ୍‌ ଆନାଲିଟିକାର ଭାରତୀୟ ସହଯୋଗୀ ଫାର୍ମ ଷ୍ଟ୍ରାଟେଜିକ୍‌ କମ୍ୟୁନିକେସନ୍‌୍‌ସ ଲାବୋରେଟୋରିଜ୍‌୍‌ ପ୍ରାଇଭେଟ୍‌ ଲିମିଟେଡ଼ ଏବଂ ଓଭ୍‌ଲେନୋ ବିଜ୍‌୍‌ନେସ ଇଣ୍ଟେଲିଜେନ୍‌୍‌ସ (ଓବିଆଇ)ଠାରୁ କ୍ଷମତାସୀନ ବିଜେପି, ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ବିହାରରେ କ୍ଷମତାସୀନ ଜେଡିୟୁ ସହାୟତା ନେଇଥିବା ଜଣାପଡ଼ିଛି। ନିର୍ବାଚନରେ ଭୋଟର୍‌ଙ୍କୁ ପ୍ରଭାବିତ କରିବାକୁ ଏହି ତିନି ଦଳ କେମ୍ବି୍ରଜ୍‌ ଆନାଲିଟିକାର ସହାୟତା ନେଇଥିବା ସଂପର୍କିତ ଅନେକ ତଥ୍ୟ ସାମ୍ନାକୁ ଆସିଛି । ତେବେ ଏହି ପ୍ରସଙ୍ଗରେ ଏବେ ରାଜନୈତିକ ଦଳମାନେ ପରସ୍ପରକୁ ଦୋଷାରୋପ କରୁଥିଲେ ମଧ୍ୟ ନିର୍ବାଚନୀ ଫାଇଦା ପାଇଁ ବିଦେଶୀ ସଂସ୍ଥାମାନଙ୍କୁ ସମସ୍ତେ ବ୍ୟବହାର କରିଥିବା ସଂପର୍କରେ ତଥ୍ୟ ସାର୍ବଜନୀନ ହୋଇଛି । ସଂସ୍ଥାର େଓ୍ଵବ୍‌୍‌ସାଇଟରେ କଂଗ୍ରେସ, ବିଜେପି ଏବଂ ଜେଡିୟୁକୁ ଗ୍ରାହକ ଭାବେ ଦର୍ଶାଯାଇଛି। ଓଭଲେନୋ ବିଜନେସ୍‌ ଇଣ୍ଟେଲିଜେନ୍‌୍‌ସର ମୁଖ୍ୟ ଭାବେ ଜେଡିୟୁର ବରିଷ୍ଠ ନେତା କେ.ସି. ତ୍ୟାଗୀଙ୍କ ପୁଅ ଅମରିଶ ତ୍ୟାଗୀ ରହିଛନ୍ତି। ଅମରିଶ ଏବଂ କେମ୍ବି୍ରଜ୍‌ ଆନାଲିଟିକାର ନିଲମ୍ବିତ ସିଇଓ ଆଲେକ୍‌୍‌ଜାଣ୍ଡାର ନିକ୍ସ ଗାଜିଆବାଦର କମ୍ପାନି ଷ୍ଟ୍ରାଟେଜିକ୍‌ କମ୍ୟୁନିକେସନ୍‌୍‌ସ ସଂସ୍ଥାର ନିର୍ଦ୍ଦେଶକ ପଦବିରେ ମଧ୍ୟ ଅଛନ୍ତି। ଅମରିଶ ଗତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍‌୍‌ଡ ଟ୍ରମ୍ପ୍‌ଙ୍କ ପାଇଁ କାମ କରିଥିଲେ ଏବଂ ଏହା ଭୁଲ୍‌ ପଦକ୍ଷେପ ଥିଲା ବୋଲି କେସି ତ୍ୟାଗୀ ଆଜି ଗଣମାଧ୍ୟମକୁ କହିଛନ୍ତି। ତେବେ ଭାରତରେ ଫେସ୍‌୍‌ବୁକ୍‌ ଡାଟା ଚୋରି ନେଇ ଯେଉଁ ଅଭିଯୋଗ ଉଠିଛି ତାହାର ଯାଞ୍ଚ ପାଇଁ ସେ ଦାବି କରିଛନ୍ତି।

କେମ୍ବି୍ରଜ୍‌ ଆନାଲିଟିକା ୨୦୧୦ ବିହାର ନିର୍ବାଚନରେ ଭୋଟରଙ୍କ ତଥ୍ୟ ନେଇ ଗବେଷଣା କରିଥିଲା। ଏବଂ ବିଜେପି-ଜେଡିୟୁ ମେଣ୍ଟ ସପକ୍ଷରେ ଜନମତ ସୃଷ୍ଟି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥଲା। ଏହି ନିର୍ବାଚନରେ ଜେଡିୟୁକୁ ୧୧୫ ଆସନ ମିଳିଥିବା ବେଳେ ବିଜେପିକୁ ୯୧ଟି ଆସନ ମିଳିଥିଲା। ୨୦୧୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅମରିଶ ତ୍ୟାଗୀ ବିଜେପିର ବୁଥ୍‌ ପ୍ରୋଫାଇଲିଂ କାମ କରିଥିଲେ। ଏହି ନିର୍ବାଚନ ପାଇଁ ସେ ଏକ ନ୍ୟୁଜ୍‌ ଚ୍ୟାନେଲ ପାଇଁ ଜନମତ ସର୍ଭେ ମଧ୍ୟ କରାଇଥିଲେ। ୨୦୧୧ ଏବଂ ୨୦୧୨ରେ ସେ ଯୁବ କଂଗ୍ରେସ ପାଇଁ ଝାଡ଼ଖଣ୍ଡରେ ସର୍ଭେ କରିଥିଲେ। ଓବିଆଇର ଅନ୍ୟ ଜଣେ ନିର୍ଦ୍ଦେଶକ ହିମାଂଶୁ ଶର୍ମା ବିଜେପି ପାଇଁ ୪ଟି ନିର୍ବାଚନରେ ରଣନୀତି ପ୍ରସ୍ତୁତି ଦାୟିତ୍ୱରେ ରହିଥିଲେ। ୨୦୧୪ରେ ବିଜେପିର ‘୨୭୨ ପ୍ଲସ୍‌’ ଅଭିଯାନ ପଛରେ ମଧ୍ୟ ହିମାଂଶୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

କେମ୍ବି୍ରଜ୍‌ ଆନାଲିଟିକା ଫେସ୍‌୍‌ବୁକ୍‌ ସମେତ ବିଭିନ୍ନ ଉତ୍ସରୁ ସଂଗୃହୀତ ବ୍ୟକ୍ତିଗତ ତଥ୍ୟର ଗଭୀର ଅନୁଶୀଳନ କରି ଏହାକୁ ସମର୍ଥନ ହାସଲ, ବିଭିନ୍ନ ପ୍ରସଙ୍ଗରେ ମତାମତ ପ୍ରଭାବିତ କରିବା ଏବଂ ରାଜନୈତିକ ଫାଇଦା ଉଠାଇବା ପାଇଁ କାମ କରିଛି । ସୂଚନାଯୋଗ୍ୟ ଫେସ୍‌୍‌ବୁକ୍‌ ଡାଟାଲିକ୍‌ ସଂପର୍କରେ ଜଣାପଡ଼ିବା ପରେ କେମ୍ବି୍ରଜ୍‌ ଆନାଲିଟିକାର ବେଆଇନ କାରବାର ସଂପର୍କରେ ପର୍ଦ୍ଦାଫାସ କରିବା ପାଇଁ ଏକ ଅତ୍ୟନ୍ତ ଗୋପନ ଅଭିଯାନ ହୋଇଥିଲା ଏବଂ ଷ୍ଟିଙ୍ଗ୍‌ ଅପରେସନରେ ଏହାର ବରିଷ୍ଠ ଅଧିକାରୀମାନେ ଧରାପଡ଼ିଯାଇଥିଲେ। ମିଥ୍ୟା ଖବରର ପ୍ରଚାର ପ୍ରସାରକୁ ବ୍ୟାପକ କରିବା ସହ ମାନସିକ ଶୋଷଣ କରିବାରେ ଏହି ସଂସ୍ଥା କିଭଳି ହଟଚମଟ ସୃଷ୍ଟି କରିଛି ତାହା ଲଣ୍ଡନର ଏକ ନ୍ୟୁଜ୍‌୍‌ ଚ୍ୟାନେଲର ଷ୍ଟିଂ ଅପରେସନରେ ଧରାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। କେମ୍ବି୍ରଜ୍‌ ଆନାଲିଟିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଲେକ୍‌୍‌ଜାଣ୍ଡାର ନିକ୍ସଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର