ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ସ୍ମାରକସ୍ଥଳ ନିର୍ମାଣ କରାଯିବ ବୋଲି ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଗତକାଲିଠାରୁ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସରକାର ସଫେଇ ଦେଉଥିଲେ ହେଁ ଅନେକ କଂଗ୍ରେସ ନେତା ଏହାକୁ ଗ୍ରହଣ କରିନାହାନ୍ତି। ଓଲଟା ଦଳର ବରିଷ୍ଠ ନେତାମାନେ ମନମୋହନଙ୍କ ସ୍ମାରକୀସ୍ଥଳ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କଡ଼ା ସମାଲୋଚନା କରିଛନ୍ତି। ବିଜେପି ବି ଜବାବ ଦେଇ କହିଛି ଯେ ମନମୋହନଙ୍କ ନାଁରେ ହୀନ ରାଜନୀତି କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ମୃତ୍ୟୁ ପରେ କଂଗ୍ରେସ ତାଙ୍କ ସହ କିଭଳି ବ୍ୟବହାର କରିଥିଲା ତାହା ମନେ ପକାଇବା ଉଚିତ ବୋଲି ବିଜେପି କହିଛି। କେନ୍ଦ୍ର ମନମୋହନଙ୍କ ପାଇଁ ସ୍ବତନ୍ତ୍ର ସ୍ମାରକୀ ସ୍ଥଳ ସଂପର୍କରେ ତାଙ୍କ ପରିବାରକୁ ଅବଗତ କରିଥିବା ବିଜେପି କହିଛି। 

Advertisment

କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇ ଯେଉଁ ସ୍ଥାନରେ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ ସେହି ସ୍ଥାନରେ ସ୍ମାରକୀ ନିର୍ମାଣ କରିବାର ସମ୍ଭାବନା ଉପରେ ଅନୁସନ୍ଧାନ କରିବାକୁ ଅନୁରୋଧ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର ସ୍ଥଳରେ ସ୍ମାରକୀ ନିର୍ମାଣ କରିବାର ପରମ୍ପରା ରହିଛି ବୋଲି କଂଗ୍ରେସ ସଭାପତି କହିଛନ୍ତି। ସେପଟେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କେନ୍ଦ୍ର କହିଛି ଯେ ଡକ୍ଟର ସିଂହଙ୍କ ସ୍ମାରକୀ ପାଇଁ ଏକ ସ୍ଥାନ ଆବଣ୍ଟନ କରାଯିବା ନିଷ୍ପତ୍ତି ନେଇ କୌଣସି ଦ୍ବନ୍ଦ୍ବ ନାହିଁ ଏବଂ ଏ ବାବଦ ସମସ୍ତ ତଥ୍ୟ କଂଗ୍ରେସକୁ ଅବଗତ କରାଯାଇଛି।

ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ, ବଡ଼ଝିଅ ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଶନିବାର ସକାଳେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ବିଜେପି ସଭାପତି ଜେପି ନଡ୍ଡା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭୁଟାନର ରାଜା ଜିଗ୍ମେ ୱାଙ୍ଗଚୁକ୍ ଏବଂ ମରିସସ୍‌ର ବୈଦେଶିକ ମନ୍ତ୍ରୀଙ୍କ ଭଳି ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ମନମୋହନଙ୍କ ଚିତାରେ ତାଙ୍କ ବଡ଼ଝିଅ ଉପିନ୍ଦର ସିଂହ ମୁଖାଗ୍ନି ଦେଇଥିଲେ।

ଏହା ପୂର୍ବରୁ ସିଂହଙ୍କ ଅନ୍ତିମ ଯାତ୍ରା କଂଗ୍ରେସ ମୁଖ୍ୟାଳୟରୁ ଆରମ୍ଭ ହୋଇଥିଲା। ମରଶରୀର ଶୋଭାଯାତ୍ରାରେ ଯାଉଥିବା ବେଳେ ସମର୍ଥକମାନେ ‘ମନମୋହନ ସିଂହ ଅମର ରହେ’ ସ୍ଲୋଗାନ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଧାବାଟରୁ ସିଂହଙ୍କ ପରିବାର ସହ ଶେଷଯାତ୍ରାରେ ସାମିଲ ହୋଇଥିଲେ। ପୂର୍ବାହ୍ଣ ୧୧ଟା ୪୫ରେ ନିଗମବୋଧ ଘାଟ ଶ୍ମଶାନରେ ମନମୋହନଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ମନମୋହନଙ୍କ ବିୟୋଗରେ ଜାନୁଆରି ପହିଲା ପର୍ଯ୍ୟନ୍ତ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ଏବଂ ଏହି ସମୟରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଶନିବାର ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ଅଧାଦିନ ଛୁଟି ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ବ୍ୟତୀତ ହରିୟାଣା, ପଞ୍ଜାବ, ମଣିପୁର, ରାଜସ୍ଥାନ, ବିହାର ଓ ଆସାମ ସମେତ ଅନେକ ରାଜ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ସରକାରୀ ଶୋକ ଘୋଷଣା କରିଛନ୍ତି। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ତାଙ୍କୁ ଜଣେ ବିଶିଷ୍ଟ ରାଜନେତା ଓ ଜାତୀୟ ଜୀବନରେ ଛାପ ପକାଇଥିବା ବିଶିଷ୍ଟ ନେତା ଭାବେ ବର୍ଣ୍ଣନା କରାଯାଇଥିଲା। କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ମଧ୍ୟ ଜଣେ ମହାନ ନେତାଙ୍କୁ ହରାଇ ଶୋକ ପ୍ରକାଶ କରିଛି।