ବେଙ୍ଗାଲୁରୁ : କର୍ଣ୍ଣାଟକର ଶିବମୋଗା ଓ ଅନ୍ୟକେତେକ ସ୍ଥାନରେ ସବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ଦେଖାଦେଇଥିବା ସାଂପ୍ରଦାୟିକ ବିବାଦକୁ ନେଇ ପରସ୍ପରକୁ ଦାୟୀ କରିଛନ୍ତି ବିଜେପି ଓ କଂଗ୍ରେସ ।

Advertisment

ଏହି ଉତ୍ତେଜନା ପାଇଁ କଂଗ୍ରେସକୁ ଦାୟୀ କରି ବିଜେପି ବିଧାୟକ କେ.ଏସ. ଇଶ୍ବରପ୍ପା କହିଛନ୍ତି ଯେ କେବଳ କର୍ଣ୍ଣାଟକ ବା ଦକ୍ଷିଣ ଭାରତରେ ନୁହେଁ, ସାରା ଦେଶରେ କଂଗ୍ରେସ ପକ୍ଷରୁ ପିଏଫଆଇ, ଏସଡିପିଆଇ ପରି ଦେଶବିରୋଧୀ ତତ୍ତ୍ବଙ୍କୁ ସମର୍ଥନ କରାଯାଉଛି । ସରକାର ଓ ପୁଲିସ ଏହି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି ।

ସେହିପରି ଦକ୍ଷିଣପନ୍ଥୀ ସଂଗଠନ ଶ୍ରୀରାମ ସେନେ ନେତା ପ୍ରମୋଦ ମୁଥାଲିକ କହିଛନ୍ତି ଯେ ପିଏଫଆଇ ଓ ଏସଡିପିଆଇ ବିରୋଧରେ ଲଢିବାକୁ ଦେଶରେ ୧୦୦ କୋଟି ସବରକର ଅଛନ୍ତି ।

ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ସବରକରଙ୍କ ପୋଷ୍ଟର ଲଗାଇ ବିଜେପି ପକ୍ଷରୁ କର୍ଣ୍ଣାଟକରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରାଯାଉଛି ।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର ଟୁମକୁରୁରେ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ କେତେକ ଦକ୍ଷିଣପନ୍ଥୀ ଗୋଷ୍ଠୀ ସବରକରଙ୍କ ପୋଷ୍ଟର ମାରିଥିଲେ । ମଙ୍ଗଳବାରଦିନ ଆଉ ଏକ ଗୋଷ୍ଠୀ ଉକ୍ତ ପୋଷ୍ଟରକୁ ଚିରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ସେହିପରି ସୋମବାରଦିନ ଶିବମୋଗାର ଅମିର ଅହମ୍ମଦ ସର୍କଲରେ ବୀର ସବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟର ମାରିବାକୁ ନେଇ ହିନ୍ଦୁବାଦୀ ଓ ଆଉ ଏକ ସ୍ଥାନୀୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଯିବାରୁ ପୁଲିସକୁ ହସ୍ତକ୍ଷେପ କରି ମୃଦୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଏହା ସହିତ ପୁଲିସ ୧୪୪ ଧରା ଲଗାଇଥିଲା । ଏହା ସତ୍ତ୍ବେ ହିଂସାବଢିବା ସହ ଜଣେ ବ୍ୟକ୍ତିକୁ କିଛି ଲୋକ ଛୁରୀ ଭୁସିଦେଇଥିଲେ ।