ରାହୁଲ ଅଭ୍ୟାସଗତ ମିଛୁଆ: ବିଜେପି

ନୂଆଦିଲ୍ଲୀ : ରାହୁଲ ପ୍ରସଙ୍ଗରେ କଂଗ୍ରେସ-ବିଜେପି ଏବେ ମୁହାଁମୁହିଁ ହୋଇଛନ୍ତି। ବିଜେପି କହିଛି, ରାହୁଲ ଜଣେ ଅଭ୍ୟାସଗତ ମିଛୁ୍ଆ ଏବଂ ଅବମାନନାକାରୀ। କୋର୍ଟ ରାୟ ପରେ ଅଯୋଗ୍ୟ ଘୋଷିତ ହେବା ସ୍ବାଭାବିକ କଥା। କିନ୍ତୁ କଂଗ୍ରେସ ରାଜନୈତିକ ଫାଇଦା ପାଇଁ ଏହି ଦଣ୍ଡାଦେଶ ବିରୋଧରେ ଉଚ୍ଚ ଅଦାଲତ ଯାଉନାହିଁ। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ରାଜନୈତିକ ଫାଇଦା ପାଇବା ପାଇଁ କଂଗ୍ରେସ ଡ୍ରାମା କରୁଛି।

ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ପାଇଁ କଂଗ୍ରେସ ଉଚ୍ଚ ଅଦାଲତକୁ ନଯିବା ପଛରେ କର୍ଣ୍ଣାଟକ ନର୍ବାଚନରେ ଫାଇଦା ଉଠାଇବା ହିଁ ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି।

ଶନିବାର ଦିନ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରବି ଶଙ୍କର କହିଛନ୍ତି, ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଅତ୍ୟନ୍ତ ଅପମାନଜନ। ସମାଲୋଚନା ଗ୍ରହଣୀୟ, କିନ୍ତୁ ଗାଳିଗୁଲଜ ଓ ଅସମ୍ମାନ କରିବା କଦାପି ଗ୍ରହଣୀୟ ନୁହେଁ। ପଛୁଆ ଶ୍ରେଣୀ ବିରୋଧରେ ରାହୁଲଙ୍କ ଅପମାନ ପାଇଁ ବିଜେପି ଦେଶବ୍ୟାପୀ ଆନ୍ଦୋଳନ ଅଭିଯାନ ଆରମ୍ଭ କରିବ। ରାହୁଲ ଆଜି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କଲେ। କିନ୍ତୁ ୨୦୧୯ର ମାନହାନି ମାମଲାରେ ସେ ଦୋଷୀସାବ୍ୟସ୍ତ ହେବା ସଂକ୍ରାନ୍ତରେ ଗୋଟିଏ ଶବ୍ଦ ବି କହିଲେନି। ସେ ପୁଣିଥରେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଲୋକସଭାରୁ ‌ଅଯୋଗ୍ୟ ହେବାପରେ ରାହୁଲ ନିଜକୁ ଜଣେ ସହିଦ ଦର୍ଶାଇବାକୁ ଚାହୁଛନ୍ତି। ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ରାଜନୈତିକ ଫାଇଦା ପାଇବାପାଇଁ ରାହୁଲଙ୍କ ଏହି ଚାଲ୍‌ କାମ ଦେବାନହିଁ ବୋଲି ରବି ଶଙ୍କର କହିଛନ୍ତି ।

କଂଗ୍ରେସରେ ଅନେକ ବରିଷ୍ଠ ଓକିଲ ଥାଇ ବି ସେମାନେ ମାନହାନି ଦଣ୍ଡାଦେଶ ମାମଲାରେ ହସ୍ତ‌କ୍ଷେପ ନକରିବା ବିସ୍ମୟକର ଏବଂ ସେମାନଙ୍କ ଏହି ଶସ୍ତା ରଣନୀତି ସଂପର୍କରେ ସମସ୍ତ ଅବଗତ ବୋଲି ରବି ଶଙ୍କର କହିଛନ୍ତି। ଗତ କିଛି ସପ୍ତାହ ତଳେ ସେମାନେ ପୱନ ଖେଡ଼ାଙ୍କ ମାମଲାରେ ଯେଭଳି କୋର୍ଟ ଯାଇଥ‌ିଲେ ରାହୁଲଙ୍କ ମାମଲାରେ କାହିଁକି ସେମିତି ତତ୍ପର ନାହାନ୍ତି। ବିଜେପିର ୬ ନେତା ଏବଂ ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସମେତ ମୋଟ୍‌ ୩୨ ଜଣ ‌ଲୋକସଭାରୁ ଅଯୋଗ୍ୟ ହୋଇଛନ୍ତି। ରାହୁଲଙ୍କ ବିରୋଧରେ ମଧ୍ୟ ମାନହାନି ନେଇ ୭ଟି ମାମଲା ବିଭିନ୍ନ କୋର୍ଟରେ ପଡ଼ି ରହିଛି ବୋଲି ରବି ଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର