୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ବର୍ଷ ଶେଷ ଆଡକୁ ହେବାକୁ ଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହା ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନିଯୁକ୍ତ କରିଛନ୍ତି | ହରିୟାଣା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସହ-ପ୍ରଭାରୀ ଭାବେ ଉତ୍ତରପ୍ରଦେଶର ମନ୍ତ୍ରୀ ଭୁପେନ୍ଦ୍ର ସିଂଙ୍କୁ ଦାୟିତ୍ୱ ମିଳିଛି | ସେହିପରି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ ପ୍ରକାଶ ମାଥୁରଙ୍କୁ ନିର୍ବାଚନ ପ୍ରଭାରୀ ସହ ବିହାରର ମନ୍ତ୍ରୀ ନନ୍ଦ କିଶୋର ଯାଦବଙ୍କୁ ସହ-ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି |

 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଷ୍ଟ୍ରୀୟ ମହାସଚିିବ ଭୂପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି | ସେହିପରି ତାଙ୍କୁ ସାହାଯ୍ୟ କରିବା ପାଇଁ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ କର୍ଣ୍ଣାଟକର ପୂର୍ବତନ ବିଧାୟକ ଲକ୍ଷ୍ମଣ ସାଵଦୀଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି |

ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲଙ୍କ ଦଳ ଆପକୁ ମାତ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିବା ସହ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ଓ ନିତ୍ୟାନନ୍ଦ ରାୟ ସହ-ପ୍ରଭାରୀ ଭାବେ ସାହାଯ୍ୟ କରିବେ |

ସମ୍ବନ୍ଧିତ ଖବର