ବିଜେପି ଆଗରେ ମାଟି କାମୁଡ଼ିଲେ ନୀତୀଶ, କୁଢ଼ନୀ ଉପନିର୍ବାଚନରେ ଜିତିଲା ବିଜେପି

ପାଟନା: ବିହାରରେ ବାଜି ମାରିଲା ବିଜେପି। ବିଜେପିଠାରୁ ଗଠବନ୍ଧନ ଭାଙ୍ଗି ଆରଜେଡି ସହ ସରକାର ଗଢ଼ିଥିଲେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ନେତା ନୀତୀଶ କୁମାର। ହେଲେ ଏହାର ସୁଫଳ ନୀତୀଶଙ୍କୁ ମିଳିଥିବା ଜଣାପଡ଼ିଛି। ବିହାରର କୁଢ଼ନି ଆସନ ପାଇଁ ଉପନିର୍ବାଚନ ହୋଇଥିବା ବେଳେ ଜେଡିୟୁ ପ୍ରାର୍ଥୀଙ୍କୁ ହରାଇ ବିଜେପି ଜିତିଥିବା ଜଣାପଡ଼ିଛି। ଚଳିତ ବର୍ଷ ଅଗଷ୍ଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିଠାରୁ ଅଲଗା ହେବା ପରେ କୁଢ଼ନି ଉପ-ନିର୍ବାଚନ ଫଳାଫଳ ବିଜେପି ପାଇଁ ଏକ ବିଜୟ ବୋଲି କୁହାଯାଉଛି। ଏହି ଫଳାଫଳ ନୀତୀଶଙ୍କୁ ଏକ ଶକ୍ତ ଝଟକା ଦେଇଛି।

ଏନଡିଏରୁ ନୀତୀଶ କୁମାର ଅଲଗା ହେବା ପରେ ବିହାରରେ ଏହା ପ୍ରଥମ ନିର୍ବାଚନ ଥିଲା ଯେଉଁଠି ଜେଡିୟୁ ବିଜେପି ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ହେ‌ଲେ ଏହି ଉପନିର୍ବାଚନରେ ବିଜେପିକୁ ସଫଳତା ମିଳିଛି। କୁଢ଼ନି ଉପ-ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ୩୬୩୨ ଭୋଟ ବ୍ୟବଧାନରେ ଜନତା ଦଳ ୟୁନାଇଟେଡର ପ୍ରାର୍ଥୀଙ୍କୁ ହରାଇଛି। ବିଜେପି ପ୍ରାର୍ଥୀ କେଦାର ପ୍ରସାଦ ଗୁପ୍ତା ୭୬୬୪୮ଭୋଟ୍ ପାଇଥିବାବେଳେ ଜେଡିୟୁ ପ୍ରାର୍ଥୀ ମନୋଜ କୁଶୱାହ ୭୩୦୧୬ ଭୋଟ୍ ପାଇଛନ୍ତି।

କୁଢ଼ନି ଉପନପିର୍ବାଚନ ପାଇଁ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରଚାର କରିଥିଲେ। ମହାଗଠବନ୍ଧନ ଜିତିଥିବା ଖବର ମୁଁ ସିଙ୍ଗାପୁରକୁ କିଡନି ପ୍ରତିରୋପଣ ପାଇଁ ଯାଇଥିବା ବାପା ଲାଲୁ ଯାଦବଙ୍କୁ ଜଣାଇ‌ବାକୁ ଚାହ‌େଁ ବୋଲି କହି ଭୋଟ ମାଗିଥିଲେ ତେଜସ୍ବୀ। ହେଲେ ମତଦାତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିବା ଦେଖାଯାଇଛି।

ଏହାପୂର୍ବରୁ ନଭେମ୍ବରରେ ଗୋପାଳଗଞ୍ଜ ଏବଂ ମୋକାମାରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଉଭୟ ଆସନରେ ଆରଜେଡି ସହ ବିଜେପି ସିଧାସଳଖ ଲଢ଼େଇ କରିଥିଲା। ଆରଜେଡିକୁ ପରାସ୍ତ କରି ବିଜେପି ଗୋପାଳଗଞ୍ଜ ଆସନ ବଜାୟ ରଖିଥିବା ବେଳେ ଆରଜେଡି ମୋକାମା ଆସନ ଜିତିଥିଲା।

ସମ୍ବନ୍ଧିତ ଖବର