ମୁମ୍ବାଇ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରବିବାର ମହାବିକାଶ ଅଘାଡି (ଏମଭିଏ)ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ନିକଟରେ ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଏକ ଖାଲି ସମ୍ବିଧାନ ପ୍ରଦର୍ଶନ କରିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ ଆଣିଥିବାରୁ ସେ ମୋଦୀଙ୍କୁ  ‘ମିଛୁଆଙ୍କ ସର୍ଦ୍ଦାର’ ବୋଲି କହିବାକୁ ପଛାଇନାହାନ୍ତି। ଏହା ସହିତ ବିଜେପିର ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନକୁ ଜୋରଦାର ବିରୋଧ କରି ଖଡ଼ଗେ କହିଛନ୍ତି ଯେ ଏହା କେବଳ ବିଭାଜନକ ଓ ଅସ୍ଥିରତା ସୃଷ୍ଟି ‌ପାଇଁ ଉଦ୍ଧିଷ୍ଟ।   ଇନ୍ଦିରା ଓ ରାଜୀବ ଗାନ୍ଧୀ ଦେଶର ଏକତା ପାଇଁ ନିଜ ଜୀବନ ଦେଇଥିବା ବେଳେ ବିଜେପି ଏବେ ବିଭାଜନକାରୀ ରାଜନୀତିର ଆଶ୍ରୟ ନେଇ ଦେଶର ଏକତାକୁ ନଷ୍ଟ କରୁଛି ବୋଲି ଖଡ଼ଗେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଗାନ ‘ଏକ୍ ହୈ ତୋ ସେଫ୍ ହୈ’ (ଏକଜୁଟ୍‌ ରହିବା ର୍ହି ନିରାପଦ)କୁ ସମାଲୋଚନା କରି ଖଡ଼ଗେ କହିଛନ୍ତି, ସେ ଏଭଳି ସ୍ଲୋଗାନ ସେ କାହା ଉଦ୍ଦେଶ୍ୟରେ ଏବଂ କାହିଁକି ଦେଉଛନ୍ତି ତାହା ମୋତେ ସ୍ପଷ୍ଟ ହେଉନାହିଁ। ମହାରାଷ୍ଟ୍ରରେ   ଆଗାମୀ ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏ ନିର୍ବାଚିତ ହେଲେ ମହାରାଷ୍ଟ୍ରରେ ଜାତିଗତ ଜନଗଣନା ଆରମ୍ଭ କରାଯିବ ବୋଲି ଖଡ଼ଗେ ପ୍ରତିଶ୍ରୁତି ଦେଇଛନ୍ତି। 

Advertisment

ଏମ୍‌ଭିଏ ଇସ୍ତାହାରରେ ମହିଳାଙ୍କୁ ମାସିକ ୩ ହଜାର ଟଙ୍କା 

ଜାତିଗତ ଜନଗଣନା ପାଇଁ ପ୍ରତିଶ୍ରୁତି
ରାଜ୍ୟର ୫୦% ସଂରକ୍ଷଣ ସୀମା ବଢ଼ାଇବାକୁ  ଘୋଷଣା

ଆମେ ମହାରାଷ୍ଟ୍ରରେ ଜାତିଗତ ଜନଗଣନା କରିବୁ ଏବଂ ତାମିଲନାଡ଼ୁ ପରି ସଂରକ୍ଷଣ  ସୀମା  ୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରିବୁ ବୋଲି ଖଡ଼ଗେ କହିଛନ୍ତି। ଏମ୍‌ଭିଏ ଇସ୍ତାହାରରେ କୃଷି, ଗ୍ରାମୀଣ ବିକାଶ, ନଗର ଉନ୍ନୟନ ଏବଂ ସ୍ୱାସ୍ଥ୍ୟ ଭଳି କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରି ପାଞ୍ଚଟି ପ୍ରମୁଖ ପ୍ରତିଶ୍ରୁତି ଦିଆଯାଇଛି।  ପ୍ରତି ପରିବାରକୁ ଯେଭଳି ବାର୍ଷିକ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କାର ସହାୟତା ମିଳିବ ସେଥିପାଇଁ ଯୋଜନା ରହିଛି ବୋଲି ଖଡ଼ଗେ କହିଛନ୍ତି। ଇସ୍ତାହାରରେ ମୁଖ୍ୟ ପ୍ରତିଶ୍ରୁତି ମଧ୍ୟରେ ରହିଛି ମହାଲକ୍ଷ୍ମୀ ଯୋଜନା, ଯେଉଁଥିରେ ମହିଳାମାନଙ୍କୁ ମାସିକ ୩,୦୦୦ ଟଙ୍କା ପ୍ରଦାନ କରାଯିବ।    ବର୍ତ୍ତମାନର ‘ଲଡକୀ ବେହନା’ ଯୋଜନାରେ ଦିଆଯାଉଥିବା ୧,୫୦୦ ଟଙ୍କା ତୁଳନାରେ ଏହା ଅଧିକ। ଅପରପକ୍ଷରେ ମହାୟୁତି କ୍ଷମତାକୁ ଆସିବା ପରେ ଏହି ଯୋଜନାରେ ଦିଆଯାଉଥିବା ଅର୍ଥ ୨୧୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛି। ଏହା ସହିତ  ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା ମଧ୍ୟ ଏମ୍‌ଭିଏ ଇସ୍ତାହାରରେ ଅନ୍ତର୍ଭୁକ୍ତ କରାଯାଇଛି।  ଠିକ୍ ସମୟରେ ଋଣ ପରିଶୋଧ କରୁଥିବା ଚାଷୀଙ୍କୁ ୫୦ ହଜାର ଟଙ୍କାର ଅତିରିକ୍ତ ସହାୟତା ସହ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ। ସ୍ନାତକ କିମ୍ବା ଡିପ୍ଲୋମା ଯୋଗ୍ୟତା ଥିବା ବେକାର ଯୁବକଯୁବତୀଙ୍କୁ ମାସିକ ୪ ହଜାର ଟଙ୍କା ଭତ୍ତା ଦେବାକୁ ଏମ୍‌ଭିଏ ଇସ୍ତା‌ହାରରେ ପ୍ରତିଶ୍ରୁତି ଦିଆଯାଇଛି।। ଏଥିସହ ମହିଳାମାନଙ୍କୁ ବସ୍‌ରେ ମାଗଣା ଯାତ୍ରା ସୁବିଧା ମିଳିବ। ରାଜ୍ୟ ସରକାରଙ୍କ ଶାସନର ପ୍ରଥମ ୧୦୦ ଦିନ ମଧ୍ୟରେ ୨,୫୦,୦୦୦ ପଦବିରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଏମଭିଏ ପ୍ରତିଶ୍ରୁତି ଦେଇଛି।