ବିଜେପିକୁ ଡବଲ୍‌ ଝଟ୍‌କା:ବନ୍ଦ ହେବ ନମୋ ଟିଭି ପ୍ରସାରଣ / ରିଲିଜ୍‌ ହେବନି ମୋଦୀ ବାୟୋପିକ୍‌

ନିର୍ବାଚନ କମିସନଙ୍କ ଅଙ୍କୁଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମୁକ୍ତିଲାଭ କରିପାରିବ ନାହିଁ ଏବଂ ‘ନମୋ ଟିଭି’ର ପ୍ରସାରଣ ମଧ୍ୟ ବନ୍ଦ ରହିବ ବୋଲି ଆଜି ନିର୍ବାଚନ କମିସନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୋଦୀଙ୍କ ବାୟୋପିକ୍‌ ଆସନ୍ତାକାଲି ମୁକ୍ତିଲାଭ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ନିର୍ବାଚନ କମିସନଙ୍କ କଟକଣା ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ବଡ଼ ଝଟ୍‌କା ହୋଇଛି। ନିର୍ବାଚନ କମିସନ ଯେଉଁ ନୀତି ଆଧାରରେ ଏହି ଫିଲ୍ମ ଉପରେ କଟକଣା ଲଗାଇଛନ୍ତି, ସେହି ସମାନ କଟକଣା ‘ନମୋ ଟିଭି’ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଛି ବୋଲି ନିର୍ବାଚନ କମିସନଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଥିବା ସମୟରେ ପ୍ରାର୍ଥୀଙ୍କୁ ନେଇ ଚଳଚ୍ଚିତ୍ର ଏବଂ ସ୍ବତନ୍ତ୍ର ଟିଭି ଚ୍ୟାନେଲ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବ, ତେଣୁ ସେଭଳି କୌଣସି ପଦକ୍ଷେପକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ନମୋ ଟିଭିରେ କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଏବଂ ବିଜେପିର ବିଜ୍ଞାପନ ପ୍ରସାରଣ ହେଉଥିଲା। ଏହି ଚ୍ୟାନେଲକୁ ରେକିବା ପାଇଁ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିସନଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ।
କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତିବିଶେଷଙ୍କୁ ସୁହାଇଲା ଭଳି କୌଣସି ଫିଲ୍ମ ନିର୍ବାଚନ ସମୟରେ ଇଲେକଟ୍ରୋନିକ୍ ମିଡିଆରେ ପ୍ରଦର୍ଶିତ ହେବା ଉଚିତ୍‌ ନୁହେଁ ବୋଲି କମିସନ କହିଛନ୍ତି। ତେଣୁ ମୋଦୀଙ୍କ ଜୀବନୀ ଚଳଚ୍ଚିତ୍ର ନିର୍ବା‌ଚନ ସରିବା ପର୍ଯ୍ୟନ୍ତ ମୁକ୍ତିଲାଭ କରିପାରିବ ନାହିଁ। ୭ଟି ପର୍ଯ୍ୟା‌ୟରେ ନିର୍ବାଚନ ସରିବା ପରେ ହିଁ ଏହା ମୁକ୍ତିଲାଭ କରିପାରିବ ବୋଲି କମିସନ୍‌ କହିଛନ୍ତି। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ବରିଷ୍ଠ ବିଚାରପତିଙ୍କ ଦ୍ବାରା ଏହି ଫିଲ୍ମ ସଂକ୍ରାନ୍ତ ଆସିଥିବା ବିଭିନ୍ନ ଅଭିଯୋଗଗୁଡ଼ିକର ମଧ୍ୟ ତର୍ଜମା କରାଯିବ ବୋଲି କମିସନ କହିଛନ୍ତି।
ଗତକାଲି ମୋଦୀଙ୍କ ବାୟୋପିକ୍‌ ଉପରେ ରହିତାଦେଶ ଲଗାଇବାପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଖାରଜ ହୋ‌ଇ ଯାଇଥିଲା। ଫିଲ୍ମ ରିଲିଜ୍‌ ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନିର୍ବାଚନ କମିସନ ନେବେ ବୋଲି ସୁପ୍ର୍ରିମକୋଟ କହିଥିଲେ। ଫିଲ୍ମଟିକୁ ମଧ୍ୟ ଗତକାଲି ସେନ୍‌ସର ବୋ‌ର୍ଡରୁ ସ୍ବୀକୃତି ମିଳିଥିଲା। କିନ୍ତୁ ରିଲିଜ୍‌ ତାରିଖର ଦିନକ ପୂର୍ବରୁ ମୋଦୀଙ୍କ ବାୟୋପିକ୍‌ ଉପରେ କଟକଣା ଲାଗିଛି।

ସମ୍ବନ୍ଧିତ ଖବର