ବିଜେପି କମୁଛି, ଦୋଷ ମୁଣ୍ଡାଇବାକୁ ନାରାଜ!

ନୂଆଦିଲ୍ଲୀ: ୨୦୧୪ରେ କ୍ଷମତାକୁ ଆସିବା ପରେ ବିଜେପିର ଦୁଇଜଣ ସବୁଠୁ ବଡ଼ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ଅଧ୍ୟକ୍ଷ ଅମିତ୍‌ ଶାହ ଏକ ପ୍ରଥା ଆରମ୍ଭ କରିଥିଲେ। ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ଦଳକୁ ସଫଳତା ମିଳିବା ପରେ ଦୁଇ ନେତା ବିଜେପି ମୁଖ୍ୟାଳୟକୁ ଯାଇ ନିଜର ଉପଲବ୍ଧି ପାଇଁ ପରସ୍ପରକୁ ଅଭିନନ୍ଦନ ଜଣାଉଥିଲେ। ଉଭୟ ପରସ୍ପରକୁ ଶ୍ରେୟ ଦେଉଥିଲେ। କିନ୍ତୁ ସଦ୍ୟତମ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏଭଳି ଘଟିନାହିଁ। ମୋଦୀ ଓ ଶାହଙ୍କ ଦେଖା ମିଳିନାହିଁ। ଅନ୍ୟପକ୍ଷରେ ନିର୍ବାଚନରେ ବିଜେପିର ପରାଜୟ ପାଇଁ ଏହି ଦୁଇ ନେତା ଦାୟୀ ନୁହନ୍ତି ବୋଲି ଦଳର କିଛି ନେତା କହୁଛନ୍ତି। କିନ୍ତୁ ଅନ୍ୟ କିଛି ନେତାଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହି ପ୍ରସଙ୍ଗକୁ ନେଇ କିଛି ନେତା କୁହାକୁହି ହେଉଛନ୍ତି ଯେ ମୋଦୀ ଏବଂ ଶାହ ଦଳର ବିଜୟ ପାଇଁ ପରସ୍ପରକୁ ଶ୍ରେୟ ଦେଉଥିଲେ ଏବଂ ଖୁସି ଜାହିର କରୁଥିଲେ। କିନ୍ତୁ ବର୍ତ୍ତମାନ ୫ଟି ରାଜ୍ୟରେ ଦଳର ପରାଜୟ ଲାଗି ଦୋଷ ମୁଣ୍ଡାଇବାକୁ ଏମାନେ ନାରାଜ। ଏ ବାବଦରେ ସେମାନେ ଚୁପ୍‌ ରହୁଛନ୍ତି। ତେବେ ଉଭୟ ନେତା ଦୋଷ ମୁଣ୍ଡାଇବା ଆବଶ୍ୟକ ଏବଂ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ପରାଜୟ ପାଇଁ ନିଜକୁ ଦାୟୀ କରିବା ଉଚିତ ବୋଲି ସେମାନେ ଦର୍ଶାଇଛନ୍ତି। ଜଣେ ରାଷ୍ଟ୍ରୀୟ ପଦାଧିକାରୀ ନେତା କହିଛନ୍ତି, ଦଳର ଦୁଇ ବଡ଼ ନେତା ଯେମିତି ପ୍ରତ୍ୟେକ ବିଜୟ ପାଇଁ ପରସ୍ପରକୁ ଶ୍ରେୟ ଦେଉଥିଲେ, ପରାଜୟ ପାଇଁ ମଧ୍ୟ ଦୋଷ ମୁଣ୍ଡାଇବା ଆବଶ୍ୟକ। କେଉଁ କାରଣ ପାଇଁ ଦଳ ପରାଜିତ ହେଲା ତାହାର ମଧ୍ୟ ସମୀକ୍ଷା କରିବା ଉଚିତ।

୩ ରାଜ୍ୟରେ ହାରିଲେ ୪୧ ମନ୍ତ୍ରୀ
ନୂଆଦିଲ୍ଲୀ: ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଏଥର ମୋଟ ୪୧ ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରାଜସ୍ଥାନର ଏକାକୀ ୨୨ ଜଣ ମନ୍ତ୍ରୀ ନିଜ ଆସନ ସୁରକ୍ଷିତ ରଖିବାରେ ସମର୍ଥ ହୋଇପାରି ନାହାନ୍ତି। ଏହି ୩ଟି ରାଜ୍ୟରେ ମୋଟ ୭୩ ମନ୍ତ୍ରୀ ନିର୍ବାଚନ ଲଢ଼ିଥିବା ବେଳେ ୩୨ ଜଣ ବିଜୟୀ ହୋଇଛନ୍ତି। ମଧ୍ୟ ପ୍ରଦେଶରେ ଏଥର ୩୧ ଜଣ ମନ୍ତ୍ରୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ ୧୩ଜଣ ହାରିଯାଇଛନ୍ତି। ସେହିପରି ଛତିଶଗଡ଼ରେ ନିର୍ବାଚନ ଲଢ଼ିଥିବା ୧୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର ୪ ଜଣ ଜିତିପାରିଛନ୍ତି। ରାଜସ୍ଥାନରେ ୩୦ ମନ୍ତ୍ରୀ ନିର୍ବାଚନ ଲଢ଼ିଥିବା ବେଳେ ୨୨ ଜଣ ପରାଜିତ ହୋଇଯାଇଛନ୍ତି।

କାମ ଦେଉନି ରଣନୀତି
ନୂଆଦିଲ୍ଲୀ: ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପରିଣାମ ବିଜେପି ପାଇଁ ସତର୍କଘଣ୍ଟି ସାବ୍ୟସ୍ତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ‘କଂଗ୍ରେସମୁକ୍ତ ଭାରତ ଅଭିଯାନ’କୁ ଶକ୍ତ ଝଟ୍‌କା ଲାଗିଛି। ହିନ୍ଦୀ ବହୁଳ ଅଞ୍ଚଳରେ କଂଗ୍ରେସର ଉତ୍‌ଥାନ ଏବଂ ବିଜେପିର ବିପର୍ଯ୍ୟୟ ମୋଦୀ-ଶାହଙ୍କ ରଣନୀତି ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପିକୁ କ୍ଷମତାଚ୍ୟୁତ କରିବାରେ କଂଗ୍ରେସ ସଫଳ ହୋଇଥିବାରୁ ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ମୋଦୀଙ୍କ ପାଇଁ ଏତେ ସହଜ ହେବନାହିଁ ବୋଲି କୁହାଯାଉଛି। ଚଳିତ ବିଧାନସଭା ନିର୍ବାଚନରେ ୬୭୯ ଆସନରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏଥିରେ କଂଗ୍ରେସ ୩୧୨ ଏବଂ ବିଜେପି ୧୯୦ ଆସନରେ ସୀମିତ ରହିଯାଇଛି। କିନ୍ତୁ ୨୦୧୩ରେ ସ୍ଥିତି ଭିନ୍ନ ଥିଲା। କଂଗ୍ରେସ ମାତ୍ର ୧୭୩ ଆସନରେ ସୀମିତ ରହିଥିଲା ବେଳେ ୩୮୨ ଆସନ ଦଖଲ କରି ବିଜେପି ତା’ର ପତିଆରା ସାବ୍ୟସ୍ତ କରିଥିଲା। ଏବେ ବିଧାନସଭା ନିର୍ବାଚନରେ ଯେଭଳି ବିଜେପି ବିରୋଧୀ ଜନମତ ପ୍ରକାଶ ପାଇଲା, ଯଦି ତାହାର ପୁନରାବୃତ୍ତି ହେବ ତା’ହେଲେ ବିଜେପି ପାଇଁ ବଡ଼ ଧରଣର ସଙ୍କଟ ସୃଷ୍ଟି ହେବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି। ବର୍ତ୍ତମାନର ବିଧାନସଭା ଆସନ ଗୁଡ଼ିକର ସ୍ଥିତି ସମୀକ୍ଷାରୁ ଜଣାପଡ଼ିଛି ଯେ ବିଜେପିକୁ ଲୋକସଭା ନିର୍ବାଚନରେ ମଧ୍ୟ ବଡ଼ ଧରଣର କ୍ଷତି ସହିବାକୁ ହେବ। ମୋଦୀ-ଶାହଙ୍କ କଂଗ୍ରେସମୁକ୍ତ ଭାରତ ଅଭିଯାନ ଏବେ ବିଜେପି ଶାସିତ ୩ ରାଜ୍ୟରେ ପ୍ରତ୍ୟାଖ୍ୟାତ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀଙ୍କ ସହ ସିଧାସଳଖ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଆଜି ୟୁପିଏ ଅଧ୍ୟକ୍ଷା ‌ସୋନିଆ ଗାନ୍ଧୀ କହିଛନ୍ତି ଯେ ‘କଂଗ୍ରେସମୁକ୍ତ ଭାରତ’ର ଭୂତ ଏବେ ମୋଦୀଙ୍କୁ ହିଁ ଗ୍ରାସ କରିବାକୁ ଯାଉଛି। ବିଧାନସଭା ନିର୍ବାଚନ ପରିଣାମ ଆଧାରରେ ବିଜେପିକୁ ମଧ୍ୟପ୍ରଦେଶରେ ୨୯ରୁ ୧୭, ରାଜସ୍ଥାନରେ ୨୫ରୁ ୧୩ ଏବଂ ଛତିଶଗଡ଼ରେ ୧୧ ଲୋକସଭା ଆସନରୁ ମାତ୍ର ଗୋଟିଏ ଆସନ ମିଳିବା ସମ୍ଭାବନା ଦେଖାଦେଇଛି। ଏହି ୩ ରାଜ୍ୟରେ ୨୦୦୪, ୨୦୦୯ ଏବଂ ୨୦୧୪ରେ ହୋଇଥିବା ସାଧାରଣ ନିର୍ବାଚନରେ ପୂର୍ବରୁ ଅନୁଷ୍ଠିତ ବିଧାନସଭା ନିର୍ବାଚନର ପ୍ରଭାବ ପଡ଼ିଥିଲା ଏବଂ ବିଧାନସଭାରେ ବିଜୟୀ ହୋଇଥିବା ଦଳକୁ ଲୋକସଭାରେ ସମର୍ଥନ ମିଳିଥିଲା। ଏଭଳି ସ୍ଥିତିର ପୁଣି ପୁନରାବୃତ୍ତି ହେଲେ ମୋଦୀଙ୍କୁ ହିନ୍ଦୀ ବହୁଳ ରାଜ୍ୟରେ ଚାଲେଂଜର ସମ୍ମୁଖୀନ ହେବାକୁ ପଡ଼ିବ।

ସମ୍ବନ୍ଧିତ ଖବର