ବି‌ଜେପି ଜାରିକଲା ନିର୍ବାଚନୀ ଇସ୍ତାହାର: ୨ ଟଙ୍କାରେ ଅଟା, ମାଗଣା ସ୍କୁଟି ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ ବିଜେପି ଆଜି ଏହାର ନିର୍ବାଚନୀ ଇସ୍ତାହାର ଜାରି କରିଛି। ବିଜେପିର ଦିଲ୍ଲୀ ପ୍ରଦେଶ ଶାଖା ଦ୍ବାରା ଏହି ନିର୍ବାଚନୀ ଇସ୍ତାହାର ‘ ଦିଲ୍ଲୀ ସଂକଳ୍ପ ପତ୍ର’ ନାମରେ ଜାରି ହୋଇଛି। ବରିଷ୍ଠ ନେତା ନୀତିନ ଗଡ଼କରୀ, ହର୍ଷ ବର୍ଦ୍ଧନ , ପ୍ରକାଶ ଜାଭଡ଼େକର, ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ବିଜେପିର ନିର୍ବାଚନୀ ଇସ୍ତାହାର ଜାରି ହୋଇଛି। ବିଜେପିର ନିର୍ବାଚନୀ ଇସ୍ତାହାର ଦିଲ୍ଲୀର ଭବିଷ୍ୟତକୁ ବଦଳାଇ ଦେବାର ପ୍ରତିଶ୍ରୁତି ଦେଇଛି। ଦିଲ୍ଲୀ ବାସିନ୍ଦାଙ୍କୁ ସ୍ବଚ୍ଛ ବାୟୁ, ସ୍ବଚ୍ଛ ପାନୀୟ ଜଳ, ଗରିବଙ୍କୁ ୨ଟଙ୍କାରେ ପ୍ରତି କିଲୋ ଅଟା, ଛାତ୍ରୀଙ୍କୁ ମାଗଣା ଇ ସ୍କୁଟର ଏବଂ ଯୁବକଙ୍କ ପାଇଁ ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦିଆଯାଇଛି। ଦିଲ୍ଲୀରେ ସ୍ବଚ୍ଛ ବାୟୁ ପାଇଁ ବିଜେପି ଦ୍ବାରା ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି। ଗରିବମାନଙ୍କ ପାଇଁ ବିଜେପି ପକ୍ଷରୁ କିଲୋ ପିଛା ୨ ଟଙ୍କାରେ ଉତ୍ତମ ମାନର ଅଟା ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇଛି। କ୍ଷମତାକୁ ଆସିଲେ ଏହା ପ୍ରତି ଘରକୁ ସ୍ବଚ୍ଛ ପାନୀୟ ଜଳ ଦେବାପାଇଁ ପ୍ରତିଶ୍ରୁତି ଦେଇଛି। ‌ସେହିପରି ଯମୁନା ନଦୀକୁ ପରିଷ୍କାର କରିବା ପାଇଁ ଦଳ ପକ୍ଷରୁ ଯମୁନା ବିକାଶ ‌ବୋର୍ଡ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଝିଅମାନଙ୍କୁ ବିଜେପି ଇ ସ୍କୁଟର ଦେବା ପାଇଁ ପ୍ରତିଶ୍ରୁତି ଦେଇଛି। ଏହାରଦ୍ବାରା ସେମାନେ ବିନା ପେଟ୍ରୋଲ୍‌ ଖର୍ଚ୍ଚରେ ଶିକ୍ଷାନୁଷ୍ଠାନକୁ ଯାଇପାରିବେ।

ସମ୍ବନ୍ଧିତ ଖବର