ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବାଜି ପଲଟିଯାଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶପଥ ଗ୍ରହଣ କରିବାର ୩ ଦିନ ପରେ (୮୦ ଘଣ୍ଟାରେ) ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ବୁଧବାର ଦିନ ହିଁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଶକ୍ତି ପରୀକ୍ଷା ପୂର୍ବରୁ ଫଡନାଭିସ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଇସ୍ତଫା ସଂପର୍କରେ ଘୋଷଣା କରିଥିଲେ ଏବଂ ସେଠାରୁ ରାଜଭବନ ଯାଇ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଫଡନାଭିସଙ୍କ ଇସ୍ତଫାର କିଛି ସମୟ ପୂର୍ବରୁ ଏନ୍ସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ତାଙ୍କ ଇସ୍ତଫା ପତ୍ର ଫଡନାଭିସଙ୍କୁ ପ୍ରଦାନ କରିଥିଲେ। ଅଜିତ ପାୱାରଙ୍କ ଇସ୍ତଫା ପରେ ଫଡନାଭିସଙ୍କ ପାଖରେ ଇସ୍ତଫା ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ଇତିମଧ୍ୟରେ ଶିବସେନା ନେତା ଉଦ୍ଧବ ଠାକରେ ଆଜି ରାତିରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଆସନ୍ତା ୨୮ ତାରିଖ ଗୁରୁବାର ଦିନ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଏନ୍ସିପି ମୁଖ୍ୟ ଶରଦ ପାୱାର କହିଥିଲେ ଯେ ଡିସେମ୍ବର ୧ ତାରିଖରେ ଦିନ ଠାକରେ ଶପଥ ଗ୍ରହଣ କରିବେ। ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହେବାରେ ଉଦ୍ଧବ ହେବେ ଠାକରେ ପରିବାରର ପ୍ରଥମ ସଭ୍ୟ।
ଏହାପୂର୍ବରୁ ଶିବ ସେନା, ଏନସିପି ଏବଂ କଂଗ୍ରେସବିଧାୟକମାନଙ୍କର ମିଳିତ ବୈଠକରେ ଉଦ୍ଧବଙ୍କୁ ନେତା ନିର୍ବାଚିତ କରାଯାଇଥିଲା। ଏହି ମେଣ୍ଟ ପ୍ରତି ୧୬୨ ବିଧାୟକଙ୍କର ସମର୍ଥନ ଥିବା କୁହାଯାଇଛି। ଏଥିରେ ଶିବ ସେନାର ୫୬, ଏନସିପିର ୫୪ ଏବଂ କଂଗ୍ରେସର ୪୪ ସଭ୍ୟ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଆଜି ରାଜଭବନରେ ବିଜେପି ବିଧାୟକ କାଳିଦାସ କୋଲମ୍ବକରଙ୍କୁ ପ୍ରୋଟେମ୍ ସ୍ପିକର (ଅସ୍ଥାୟୀ ବାଚସ୍ପତି) ଭାବେ ଶପଥ ପାଠ କରାଇଛନ୍ତି। ଆସନ୍ତାକାଲି ସକାଳ ୮ଟାରେ ରାଜ୍ୟପାଳ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି। ପ୍ରୋଟେମ୍ ସ୍ପିକର ବିଧାୟକମାନଙ୍କଙ୍କୁ ଆସନ୍ତାକାଲି ଶପଥ ପାଠ କରାଇବେ।
ଆଜି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ମହାରାଷ୍ଟ୍ରରେ କଂଗ୍ରେସ-ଏନ୍ସିପି-ଶିବସେନାର ମିଳିତ ସରକାର ଗଠନ ପାଇଁ ବାଟ ଫିଟିଯାଇଛି। ଏନସିପି ମୁଖପାତ୍ର ନବାବ୍ ମଲ୍ଲିକ କହିଛନ୍ତି ଯେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସୁପ୍ରିମ୍ କୋର୍ଟଙ୍କ ଆଦେଶ ପରେ ମହାରାଷ୍ଟ୍ରରେ ଘୋଡ଼ା ବେପାରର ସବୁ ରାସ୍ତା ବନ୍ଦ ହୋଇଯାଇଛି ଏବଂ ରାଜ୍ୟର ଜନସାଧାରଣଙ୍କ ବିଜୟ ହୋଇଛି ବୋଲି ସେ କହିଛନ୍ତି। ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ଅତ୍ୟନ୍ତ ପାରଦର୍ଶୀ ବ୍ୟବସ୍ଥାରେ ଗୃହରେ ଶକ୍ତି ପରୀକ୍ଷା ପାଇଁ ଆଦେଶ ଦିଆଯିବା ପରେ ସଂଖ୍ୟା ବଳ ନଥିବାରୁ ଦେବେନ୍ଦ୍ର ଫଡନାଭିସ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ମଲ୍ଲିକ କହିଛନ୍ତି। ଫଡନାଭିସ ଆଜି ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ଦେବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଶିବସେନା-କଂଗ୍ରେସ-ଏନ୍ସିପି ମଧ୍ୟରେ ସରକାର ଗଠନକୁ ନେଇ ଚାଲିଥିବା ଆଲୋଚନାରୁ କୌଣସି ଫଳ ବାହାରି ପାରୁନଥିଲା ଏବଂ ଏହି ବିବାଦ ଭିତରେ ବିଜେପିକୁ ସମର୍ଥନ ଦେବାପାଇଁ ଏନ୍ସିପି ବିଧାୟକ ଦଳ ନେତା ଅଜିତ ପାୱାର ସମର୍ଥନର ହାତ ବଢ଼ାଇଥିଲେ । ଆମେ ଅଜିତ ପାୱାରଙ୍କ ସମର୍ଥନକୁ ଗ୍ରହଣ କରିଥିଲୁ। ଏବେ ଆମ ପାଖରେ ସଂଖ୍ୟାବଳ ନଥିବାରୁ ମୁଁ ଇସ୍ତଫା ଦେଉଛି। ତେବେ ଏନସିପି ବିଧାୟକ ଦଳ ନେତାଙ୍କ ସମର୍ଥନ ନେବା ଭୁଲ୍ ନିଷ୍ପତ୍ତି ଥିଲା କି ନାହିଁ ସେ ସଂପର୍କରେ ପରବର୍ତ୍ତୀ ସମୟରେ ସମୀକ୍ଷା କରାଯିବ ବୋଲି ଫଡନାଭିସ କହିଛନ୍ତି। ଇତିମଧ୍ୟରେ ଅଜିତ ପାୱାର ଆଜି ରାତିରେ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ଅବସରରେ ସେଠାରେ ପାୱାର ପରିବାର ସଭ୍ୟ ଓ କେତେକ ଏନସିପି ନେତା ଉପସ୍ଥିତ ଥିଲେ।