ବିଜେପି ପାଦ ତଳୁ ମାଟି ଖସୁଛି, ୨୨ ମାସରେ ଖସିଲାଣି ୩୬% ଅଞ୍ଚଳ

ନୂଆଦିଲ୍ଲୀ: ବିଜେପି ପାଦ ତଳୁ ମାଟି ଖସିବାରେ ଲାଗିଛି। ଆଜି ପ୍ରକାଶିତ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳରେ ବିଜେପି ନିରାଶ ହୋଇଛି। ୫ ବର୍ଷ ହେଲା ଶାସନ କ୍ଷମତାରେ ଥିବା ବିଜେପି ହାତରୁ ଝାଡ଼ଖଣ୍ଡ ଖସିଯାଇଛି। ୨୦୧୮ ମାର୍ଚ୍ଚ ବେଳକୁ ବିଜେପି ଏବଂ ତାହାର ସହଯୋଗୀ ଦଳ ଗୁଡ଼ିକ ଦେଶର ପାଖାପାଖି ୭୦ ପ୍ରତିଶତ ଭୌଗୋଳିକ ଅଞ୍ଚଳରେ ଶାସନ କରୁଥିଲେ। ତେବେ ଆଜି ଝାଡ଼ଖଣ୍ଡ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଗତ ୨୨ ମାସ ମଧ୍ୟରେ ଏହି ଦଳର ଶାସନାଧୀନ ଅଞ୍ଚଳ ୩୪ ପ୍ରତିଶତକୁ କମିଯାଇଛି। ଅର୍ଥାତ୍ ବିଜେପି ପାଦତଳୁ ପ୍ରାୟ ୩୬ ପ୍ରତିଶତ ମାଟି ଖସି ଯାଇଛି। ୨୦୧୮ ମାର୍ଚ୍ଚ ବେଳକୁ ବିଜେପି ଏକାକୀ ଦେଶର ୧୩ଟି ରାଜ୍ୟରେ ଶାସନ କରୁଥିଲା। ସହଯୋଗୀ ଦଳ ଗୁଡ଼ିକ ସହଯୋଗରେ ମିଶି ଆଉ ୬ଟି ରାଜ୍ୟରେ ଶାସନ କରୁଥିଲା। ଝାଡ଼ଖଣ୍ଡ ପରାଜୟ ପରେ ବିଜେପି ଶାସନାଧୀନ ରାଜ୍ୟ ସଂଖ୍ୟା ୮କୁ କମିଯାଇଛି। ସହଯୋଗୀ ଦଳ ଗୁଡ଼ିକ ସହ ମିଶି ଏବେ ଏହି ଦଳ ଆଉ ୮ଟି ରାଜ୍ୟରେ ଶାସନ କ୍ଷମତାରେ ରହିଛି। ଗତବର୍ଷ ଦଳ ରାଜସ୍ଥାନ‌, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ନିର୍ବାଚନ ହାରିବା ପରେ ଦଳର ପତନ ତୀବ୍ର ହୋଇଛି। ଏହାପରେ ଚଳିତବର୍ଷ ଅକ୍ଟୋବରରେ ମେଣ୍ଟ ସହଯୋଗୀ ଶିବ ସେନା ସହିତ ଅସହମତି ପ୍ରକାଶ ପାଇବା କାରଣରୁ ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରି ପାରିନାହିଁ।

୨୦୧୮ ମାର୍ଚ୍ଚ ବେଳକୁ ଜମ୍ମୁ କାଶ୍ମୀରରେ ବିଜେପି ଏବଂ ପିଡିପି ମିଶି ସରକାର ଗଠନ କରିଥିଲେ। କିନ୍ତୁ ପରେ ପିଡିପି ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେବା କାରଣରୁ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। କିନ୍ତୁ ଚଳିତବର୍ଷ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରିନେବା ସହିତ ତାହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଦେଇଛନ୍ତି। ସେଥିରୁ ଜମ୍ମୁ କାଶ୍ମୀରରେ ବିଧାନସଭା ରହିବା ବ୍ୟବସ୍ଥା ଥିଲେ ମଧ୍ୟ ସେଠାରେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ।

ବିଜେପି ଓ ସହଯୋଗୀ ଦଳ ହାତରେ କେଉଁ ରାଜ୍ୟ
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ,ଉତ୍ତରପ୍ରଦେଶ, ହରିୟାଣା, ବିହାର, ସିକ୍କିମ୍‌, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ‌ମେଘାଳୟ, କର୍ଣ୍ଣାଟକ, ଗୁଜରାଟ, ଗୋଆ

ସମ୍ବନ୍ଧିତ ଖବର