ନାଗରିକତା ବିଲ୍, ଆସାମରେ ବିଜେପି ସଙ୍କଟ ବଢ଼ୁଛି, ଦଳ ଛାଡ଼ିବାକୁ ସୋନୋୱାଲଙ୍କୁ କଂଗ୍ରେସର ଆହ୍ବାନ

ଗୌହାଟି: ନାଗରିକତା ସଂଶୋଧନ ବିଲ୍‌ ୨୦୧୬କୁ ନେଇ ଆସାମର ବିଜେପି ମେଣ୍ଟ ସରକାର ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗ ଦିନକୁ ଦିନ ନୂଆ ମୋଡ଼ ମଧ୍ୟ ନେଉଛି। ଆଜି ଏହି କ୍ରମରେ କଂଗ୍ରେସ ନେତା ଦେବବ୍ରତ ସାଇକିଆ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ବିଜେପି ଛାଡ଼ିବା ଲାଗି ଆହ୍ବାନ କରିଛନ୍ତି। ସେ ବିଜେପି ଛାଡ଼ିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ବରେ ନୂଆ ସରକାର ଗଠନ କରିବା ଲାଗି କଂଗ୍ରେସ ସମର୍ଥନ ଜଣାଇବ ବୋଲି ସାଇକିଆ କହିଛନ୍ତି। ଶ୍ରୀ ସାଇକିଆ ଆସାମ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି। ଅନ୍ୟପକ୍ଷରେ ନାଗରିକତା ସଂଶୋଧନ ବିଲ୍‌କୁ ପ୍ରତ୍ୟାହାର କରି ନିଆଗଲେ ବିଜେପି ସହିତ ଆସାମ ଗଣ ପରିଷଦ (ଏଜିପି) ଏହାର ସମ୍ପର୍କ ଅତୁଟ ରଖିପାରେ ବୋଲି ଏହି ଆଞ୍ଚଳିକ ଦଳ କହିଛି। ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ କଂଗ୍ରେସର ୨୫ ଜଣ ବିଧାୟକ ରହିଛନ୍ତି। ଏଜିପି ଓ ଅନ୍ୟ ଦଳର ସହାୟତାରେ ଆମେ ସରକାର ଗଠନ କରିପାରିବୁ ବୋଲି ସାଇକିଆ କହିଛନ୍ତି। ଆସାମର ଚତୁର୍ଦ୍ଦଶ ବିଧାନସଭାରେ ବିଜେପିର ୬୧ ବିଧାୟକ ଥିବାବେଳେ କଂଗ୍ରେସର ୨୫, ଏଜିପିର ୧୪ ଜଣ, ଏଆଇୟୁଡିଏଫର ୧୩ ଜଣ, ବୋଡୋଲ୍ୟାଣ୍ଡ୍ ପିପୁଲ୍ସ ଫ୍ରଣ୍ଟର ୧୨ ଜଣ ଏବଂ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଲ୍‌କୁ ଲୋକସଭାରେ ଗୃହୀତ କରାଇବା ପରେ ଆସାମ ଗଣ ପରିଷଦ ଆସାମରେ ବିଜେପି ସରକାରଠାରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛି। ବିଜେପି ସହିତ ଏଜିପି ପୁଣି ସମ୍ପର୍କ ସ୍ଥାପନ କରିବ କି ବୋଲି ପ୍ରଶ୍ନରେ ଏହି ଆଞ୍ଚଳିକ ଦଳ ସଭାପତି ଅତୁଲ ବୋରା କହିଛନ୍ତି, ବିଜେପି ଯଦି ଏହି ବିଲ୍‌କୁ ପ୍ରତ୍ୟାହାର କରିନିଏ ତାହେଲେ ଏହି ଦଳ ସହ ସମ୍ପର୍କ ପୁନଃସ୍ଥାପନ କରିବା ନେଇ ବିଚାର କରିପାରୁ। ବିଲ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏ ନେଇ କିଛି କୁହାଯାଇ ପାରିବ ନାହିଁ। ଆମେ ସେମାନଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର