ନନ୍ଦୀଗ୍ରାମରେ ମମତାଙ୍କୁ ଟକ୍କର ଦେବେ ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ, ପ୍ରାର୍ଥୀ ଘୋଷଣା କଲା ବିଜେପି

କୋଲକାତା: ଆଜି ଭାରତୀୟ ଜନତା ପ‌ାର୍ଟି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରକାଶ କରିଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଏହି ତାଲିକାରେ ୫୭ ଜଣଙ୍କର ନାମ ସ୍ଥାନ ପାଇଛି। ତେବେ ଏ ମଧ୍ୟରେ ବହୁଚର୍ଚ୍ଚିତ ତଥା ସମ୍ମାନଜନକ ନନ୍ଦୀଗ୍ରାମ ବିଧାନସଭା ଆସନ ରହିଛି। ଏଠାରୁ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପି ଆସିଥିବା ମମତା ବାନାର୍ଜୀଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଫଳରେ ନନ୍ଦୀଗ୍ରାମରେ ମମତା- ଶୁଭେନ୍ଦୁଙ୍କ ମଧ୍ୟରେ ହାଇଭୋଲଟେଜ୍ ଲଢ଼େଇ ସୁନିଶ୍ଚିତ ହୋଇଛି।

ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ନିର୍ବାଚନରେ ଭବାନୀପୁର ଆସନରୁ ଲଢ଼ିଥିବା ବେଳେ ଏଥର କିନ୍ତୁ ନନ୍ଦୀଗ୍ରାମକୁ ବାଛିଛନ୍ତି । ଏହି ନିର୍ବାଚନ ମଣ୍ଡଳୀକୁ ଶୁଭେନ୍ଦୁଙ୍କ ଗଡ଼ ବୋଲି କୁହାଯାଏ। ତେଣୁ  ମମତାଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୁହାଯାଉଛି। ପୂର୍ବରୁ ଶୁଭେନ୍ଦୁ ମମତାଙ୍କୁ ତାଙ୍କ ସହ ନନ୍ଦୀଗ୍ରାମରୁ ଲଢ଼ିବାକୁ ଆହ୍ବାନ ଦେଇଥିଲେ ଏବଂ ମମତା ତାହା ଗ୍ରହଣ କରିଥିବା କହିଛନ୍ତି।

ଅନ୍ୟପକ୍ଷରେ ଗତ ସପ୍ତାହରେ ବିଜେପି ନେତୃବୃନ୍ଦଙ୍କୁ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ଯଦି ତାଙ୍କୁ ନନ୍ଦୀଗ୍ରାମରୁ ଲଢ଼ିବାକୁ ଟିକଟ ଦିଆଯାଏ, ତେବେ ସେ ଅତି କମରେ ୫୦,୦୦୦ ଭୋଟରେ ବିଜୟ ଲାଭ କରିବେ। ତେବ‌େ ମମତାଙ୍କ ବିରୋଧରେ ଲଢ଼ିବା ଲାଗି ତାଙ୍କୁ ଦଳୀୟ ଟିକେଟ୍ ଦିଆଯିବ କି ନାହିଁ, ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଛଡ଼ା ଯାଇଥିଲା। ଆଜି ହାଇ ପ୍ରୋଫାଇଲ୍ ନନ୍ଦୀଗ୍ରାମ ଆସନରୁ ବିଜେପି ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଗତକାଲି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ତାଲିକାରେ ୨୯୧ ପ୍ରାର୍ଥୀଙ୍କ ନାମ ରହିଥିବା ବେଳେ ଏଥିରେ ୫୦ ଜଣ ମହିଳାଙ୍କୁ ଟିକଟ ଦିଆଯାଇଛି। ଟିଏମ୍‌ସି ପ୍ରାର୍ଥୀ ତାଲିକାରେ ୪୨ ଜଣ ମୁସ୍‌ଲିମ ପ୍ରାର୍ଥୀ ଥିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଦକ୍ଷିଣ କୋଲକାତାର ଭବାନୀପୁର ଆସନରୁ ଏଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହେବେ ନାହିଁ। ଏହି ଆସନ ପାଇଁ ଶକ୍ତିମନ୍ତ୍ରୀ ଶୋଭନଦେବ ଚାଟାର୍ଜୀଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର