କୃଷି ଆଇନ ଚିରିଥିବାରୁ କେଜ୍ରିଓ୍ବାଲଙ୍କ ବିରୋଧରେ ଏତଲା ଦେଲା ଦିଲ୍ଲୀ ବିଜେପି

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ଶାଖା ପକ୍ଷରୁ ଆମ ଆଦମୀ ପାର୍ଟି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ପୁଲିସରେ ଏତଲା ଦାଏର କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ବିଧାନସଭାରେ କୃଷି ଆଇନକୁ ଚିରି ଆନ୍ଦୋଳନରତ କୃଷକମାନଙ୍କୁ ଉସୁକାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଦିଲ୍ଲୀ ବିଜେପିର ଆଇଟି ସେଲ ମୁଖ୍ୟ ଅଭିଷେକ ଦୁବେଙ୍କ  ଦ୍ବାରା ଏହି ମାମଲା ରୁଜ୍ଜୁ କରାଯାଇଛି । ସେ ଅଭିଯୋଗ କରିଛନ୍ତି ଯେ କେଜରିଓ୍ବାଲ କୃଷି ଆନ୍ଦୋଳନକୁ ଆହୁରି ତେଜିବା ପାଇଁ  ଓ ଦିଲ୍ଲୀରେ ଦଙ୍ଗା ସୃଷ୍ଟି କରିବାକୁ ଆଇନକୁ ଚିରିଛନ୍ତି ।

ଡିସେମ୍ବର ୧୭ରେ କେଜ୍ରିଓ୍ବାଲ ଦିଲ୍ଲୀ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକି କୃଷି ଆଇନକୁ ନିନ୍ଦା କରିବା ସହ ଏହି ଆଇନର ନକଲକୁ ଚିରିଦେଇଥିଲେ । ଏହା ସମ୍ବିଧାନର ଉଲ୍ଲଙ୍ଘନ ଓ ଏହା କରି ସେ ଦିଲ୍ଲୀରେ ଦଙ୍ଗା କରିବାକୁ ଉଦ୍ୟମ କରୁଛନ୍ତି ।

ନିଜ ଆବେଦନରେ ସେ ଦର୍ଶାଇଛନ୍ତି ଯେ ଦିଲ୍ଲୀରେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜେ ତେବେ ସେଥିପାଇଁ କେଜ୍ରିଓ୍ବାଲ ଦାୟୀ ରହିବେ ।

ସମ୍ବନ୍ଧିତ ଖବର