ବିଜେପିର ପୂର୍ବତନ ବିଧାୟକ ସ୍ତ୍ରୀଙ୍କ କାରନାମା; ଛାପୁଥିଲେ ନକଲି ନୋଟ, ଲୋକେ ପଚାରିବାରୁ କଲେ ଛୁରୀରେ ଆକ୍ରମଣ

ଚାଇଁବସା: ଚାଇଁବସାର ପୂର୍ବତନ ବିଜେପି ବିଧାୟକଙ୍କ ସ୍ତ୍ରୀଙ୍କ ନାମରେ ଗମ୍ଭୀର ମାମଲା ଆଗତ ହୋଇଛି। ନକଲି ନୋଟ୍ ଛାପୁଥିବା ନେଇ ତାଙ୍କ ନାମରେ ହୋଇଛି ଥାନାରେ ଅଭିଯୋଗ। ଏନେଇ ସ୍ଥାନୀୟ ଲୋକେ ତାଙ୍କୁ ପଚାରିବାରୁ ସେ ପାଲଟା ଲୋକମାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ମଧ୍ୟ  ଅଭିଯୋଗ ହୋଇଛି । ଏହି ପୂରା ମାମଲା ଏବେ ଚାଇଁବସାର ମୁଫ୍ସିଲ ଥାନାର ତଦନ୍ତାଧୀନ ରହିଛି ।

ଯେଉଁ ମହିଳାଙ୍କ ନାମରେ ଏଭଳି ସଂଗୀନ ଅଭିଯୋଗ ଆସିଛି ତାଙ୍କ ସ୍ୱାମୀ ପୁତକର ହେମ୍ବ୍ରମ ବିଜେପିର ଜଣେ ପୂର୍ବତନ ବିଧାୟକ ଅଟନ୍ତି । ଅଭିଯୁକ୍ତ ମହିଳା ଜଣଙ୍କ ପୁତତ୍କରଙ୍କର ଦ୍ୱିତୀୟ ସ୍ତ୍ରୀ ବୋଲି ଜଣାପଡିଛି । ତାଙ୍କ ନାମ ମଲାୟା ହେମ୍ବ୍ରମ୍ । ସ୍ଥାନୀୟ ଲୋକଙ୍କ କହିବା କଥା କି ମଲାୟା କିଛିଦିନ ହେବ ପାଖ ବଜାରର ବିଭିନ୍ନ ଦୋକାନରେ ନକଲି ନୋଟ ଦେଇ ଜିନିଷ କିଣୁଥିଲେ । ଦୋକାନୀମାନେ ଯେତେବେଳେ ଏହି ନୋଟକୁ ବ୍ୟାଙ୍କରେ ଜମା କରିବାକୁ ନେଇଥିଲେ ସେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ଏହା ନକଲି ନୋଟ୍ ।

କପଡା ଦୋକାନରୁ ନେଇ ମାଛ ଦୋକାନ ଯାଏ ସବୁ ସ୍ଥାନରେ ମଲାୟା ଦୁଇ ହଜାରର ନକଲି ନୋଟ୍ ଦେଇଥିଲେ। ମଲାୟା ଯେତେବେଳେ ରାତିର ଅନ୍ଧାରରେ ପୁଣି ଥରେ ସେହି ଦୋକାନ ମାନଙ୍କୁ ଜିନିଷ କିଣିବାକୁ ଯାଇଥିଲେ ଦୋକାନୀମାନେ ତାଙ୍କୁ ଘେରି ଯାଇଥିଲେ। ମଲାୟା ଦେଇଥିବା ନକଲି ନୋଟ୍ ଫେରାଇ ସେମାନଙ୍କୁ ଅସଲି ନୋଟ୍ ଦେବାକୁ ବାଧ୍ୟ କରିଥିଲେ । ହେଲେ ମଲାୟା ନୋଟ୍ ଫେରାଇବାକୁ ମନା କରିବାରୁ ଆରମ୍ଭ ହୋଇଥିଲା ବିବାଦ ।

ଉଭୟ ମଲାୟା ଓ ଦୋକାନୀଙ୍କ ମଧ୍ୟରେ ଝଗଡା ବଢିବାରୁ ମଲାୟା ପାଖରେ ରଖିଥିବା ଏକ ଛୁରୀରେ ୩ ମହିଳା ଦୋକାନୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୩ ଜଣ ଯାକ ମହିଳା ଆହତ ହୋଇଛନ୍ତି । ସୂଚନା ପାଇବା ପରେ ମୁଫ୍ସିଲ ଥାନା କର୍ମଚାରୀମାନେ ସେଠାରେ ପହଂଚି ମଲାୟାକୁ ଥାନାକୁ ନେଇଯାଇଥିଲେ ।

ଥାନାରେ ପୁଲିସ ମଲାୟାଙ୍କ ସହ ଦୋକାନୀମାନଙ୍କୁ ପଚରା ଉଚରା କରିବା ପରେ ରାତିରେ ମଲାୟାଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏଥିରେ ପୁଲିସକୁ ନକଲି ନୋଟ୍ ସହ ସମ୍ବଦ୍ଧିତ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏହା ପରେ ପୁଲିସ ଏହି ମାମଲାକୁ ନେଇ ଅଧିକ ଖୋଳତାଡ ଚଳାଇଛି । ଏହା ସହ ଖୁବଶୀଘ୍ର ଏହି ମାମଲାର ଏକ ବଡ ଖୁଲାସା କରିବ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର