ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ତାଙ୍କ ସରକାର ୧୦ ବର୍ଷରେ ପୂର୍ବ ସରକାର ତୁଳନାରେ ଦେଢ଼ ଗୁଣା ଅଧିକ ନିଯୁକ୍ତି ଦେଇଛନ୍ତି।

Advertisment

ରୋଜଗାର ମେଳା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍‌ସିଂ ଜରିଆରେ ଏକ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ପତ୍ର ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ସରକାର ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ଅତ୍ୟଧିକ ସମୟ ନେଇଥିବାରୁ ସମାଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ସ୍ୱଚ୍ଛତା ଆଣିଛନ୍ତି ଏବଂ ନିଯୁକ୍ତି ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଯୁବପିଢ଼ି ଏବେ ବିଶ୍ୱାସ କରୁଛନ୍ତି ଯେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ରହିଛି ଏବଂ କଠିନ ପରିଶ୍ରମ ଏବଂ ପ୍ରତିଭା ବଳରେ ସେମାନେ ସରକାରୀ ବ୍ୟବସ୍ଥାରେ ନିଜ ପାଇଁ ସ୍ଥାନ ପାଇପାରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ନେଇଥିବା ପଦକ୍ଷେପ, ଏହା ଏକ କୋଟି ଘର ପାଇଁ ଛାତ ଉପରେ ସୌର ଶକ୍ତି ପାଇଁ ଯୋଜନା ହେଉ କିମ୍ବା ଭିତ୍ତିଭୂମିରେ ବ୍ୟାପକ ପୁଞ୍ଜିନିବେଶ ହେଉ, ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ୧.୨୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍‌ ସହ ଭାରତ ଏହି କ୍ଷେତ୍ରର ତୃତୀୟ ବୃହତ୍ତମ ଇକୋ-ସିଷ୍ଟମ ଏବଂ ଯୁବପିଢ଼ି ମଧ୍ୟ ଛୋଟ ସହରରେ ନୂଆ କମ୍ପାନି ଆରମ୍ଭ କରୁଛନ୍ତି ଏବଂ ଏହା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଷ୍ଟାର୍ଟଅପ୍‌ ଗୁଡ଼ିକୁ ଟିକସ ରିହାତି ପ୍ରଦାନ କରିଛନ୍ତି ଏବଂ ଗବେଷଣା ଏବଂ ଉଦ୍ଭାବନ ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଏହି ଅବସରରେ ଯୋଗାଯୋଗର ସୁଦୂରପ୍ରସାରୀ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ନୂତନ ବଜାର, ପର୍ଯ୍ୟଟନର ସମ୍ପ୍ରସାରଣ, ନୂତନ ବ୍ୟବସାୟ ଏବଂ ଏହା ଦ୍ୱାରା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ବିଷୟରେ କହିଛନ୍ତି।

‘ରୋଜଗାର ମେଳା’ ଦେଶ ନିର୍ମାଣରେ ଦେଶର ଯୁବ ଜନସଂଖ୍ୟାର ଅବଦାନ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ବହୁ ସଂଖ୍ୟକ ନିଯୁକ୍ତି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀରେ ସୃଷ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ବାହିନୀରେ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଭାରତୀୟ ଭାଷାରେ ନିଯୁକ୍ତି ପରୀକ୍ଷା ଆରମ୍ଭ ହୋଇଛି ଏବଂ ଏହା ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଦେବ ବୋଲି ସେ କହିଛନ୍ତି।