ଗୁଜରାଟ-ହିମାଚଳରେ ଆଗାମୀ ୫ବର୍ଷ ପାଇଁ ବିଜେପି ଶାସନ

ଗୁଜରାଟରେ ୨୨ ବର୍ଷର ଶାସନ ଜାରି ରଖିବ ବିଜେପି, ହିମାଚଳରେ ଧରାଶୟୀ ହେଲା କଂଗ୍ରେସ

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ମିଳିଛି। ଉଭୟ ରାଜ୍ୟର ମତଦାତା ବିଜେପି ଉପରେ ଭରସା ରଖି ମତଦାନ କରିଛନ୍ତି। ଉଭୟ ରାଜ୍ୟରେ ବିଜେପି ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଶାସନ ଜାରି ରଖିବ। ବିଜେପିର ଦୀର୍ଘ ୨୨ ବର୍ଷର ଶାସନରେ ଗୁଜରାଟବାସୀ ସନ୍ତୁଷ୍ଟ ଥିବା ବେଳେ ହିମାଚଳ ପ୍ରଦେଶରେ କଂଗ୍ରେସ ପ୍ରତି ବିମୁଖ ହୋଇଛନ୍ତି ମତଦାତା।

ଗୁଜରାଟରେ ବିଜେପିକୁ ୯୯ସିଟି ମିଳିଥିବା ବେଳେ କଂଗ୍ରେସକୁ ୭୯ ସିଟ ମିଳିଛି। ଅନ୍ୟ ଦଳକୁ ମିଳିଥିବା ଆସନ ସଂଖ୍ୟା ହେଉଛି ୪। ସେହିଭଳି ହିମାଚଳ ପ୍ରଦେଶରେ ବିଜେପିକୁ ୪୪ ସିଟ, କଂଗ୍ରେସକୁ ୨୧ସିଟ ଓ ଅନ୍ୟ ଦଳକୁ ୩ଟି ଆସନ ମିଳିଛି।

ଗୁଜରାଟରେ ୨ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୯ ଡିସେମ୍ବରରେ ୮୯ଟି ଆସନରେ ଓ ଡିସେମ୍ବର ୧୪ରେ ୯୩ଟି ଆସନରେ ମତଦାନ ହୋଇଥିଲା। ହିମାଚଳ ପ୍ରଦେଶରେ ନଭେମ୍ବର ୯ରେ ୬୮ ସିଟ ପାଇଁ ମତଦାନ ହୋଇଥିଲା। ୨୦୧୨ ନିର୍ବାଚନରେ ବିଜେପିକୁ ଗୁଜରାଟରେ ୧୧୫ଟି ସିଟ ମିଳିଥିଲା। ବିଜେପିକୁ ୪୭.୯ ପ୍ରତିଶତ ମତ ମିଳିଥିବା ବେଳେ କଂଗ୍ରେସକୁ ୩୮.୯ ପ୍ରତିଶତ ମତ ମିଳିଥିଲା।

ଦୁଇ ରାଜ୍ୟରେ ସରକାର ଗଢ଼ିବୁ: ରାଜନାଥ


କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ସୋମବାର କହିଛନ୍ତି, ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ସରକାର ଗଢ଼ିବ। ଏହି ୨ ରାଜ୍ୟରେ ବହୁମତ ସହିତ ବିଜେପି ସରକାର ଗଢ଼ିବ। ଗୁଜରାଟର ଉପ ମୁଖ୍ୟମନ୍ତ୍ରୀ ନୀତିନ ଭାଇ ପଟେଲ କହିଛନ୍ତି, ଶେଷରେ ବିଜେପିକୁ ବିଜୟ ମିଳିଛି। ଆରମ୍ଭରୁ ବିପରୀତ ଫଳ ଦେଖିବାକୁ ମିଳୁଥିଲା। ଏବେ ଆଶ୍ୱସ୍ତି ମିଳିଛି।

ଯୋଗୀ ଆଦିତ୍ୟନାଥଙ୍କ ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଣନୀତି ଯୋଗୁଁ ଗୁଜରାଟ ଓ ହିମାଚଳରେ ବିଜେପିକୁ ବଜୟ ମିଳିଛି। ଅମିତ ଶାହାଙ୍କ ରଣନୀତିକୁ ବିଜେପିର କର୍ମୀମାନେ ତୃଣମୂଳ ସ୍ତରକୁ ଆଣିଥିଲେ। ବିକାଶର ବିଜୟ ସବୁବେଳେ ରହିଛି। ଏବେ ୨୦୧୯ ସ୍ଥାନରେ ୨୦୨୪ ପାଇଁ ପ୍ରସ୍ତୁତ ହୁଅନ୍ତୁ। ସତ୍ୟର କୌଣସି ବିକଳ୍ପ ନାହିଁ ବୋଲି ଯୋଗୀ କହିଛନ୍ତି।

ପରିସ୍ଥିତି ସଙ୍କଟପୂର୍ଣ୍ଣ ଥିଲା: ଆନନ୍ଦୀବେନ୍‌

ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲ କହିଛନ୍ତି,ଗୁଜରାଟରେ ବିଜେପି ୫ମ ଥର ସରକାର ଗଢ଼ିବାକୁ ଯାଉଛି। ଏଥି ପାଇଁ ପ୍ରଧାନମନ୍ତ୍ରୀ ସମେତ ଅନ୍ୟ କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୨୦୧୨ରେ ଆମେ ବିକାଶ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ିଥିଲୁ। ଏଥର ମଧ୍ୟ ଏହା ଜାରି ଥିଲା। ନିର୍ବାଚନ ପ୍ରଚାରର ଶେଷ ଦିନରେ ସାମାନ୍ୟ ଝଗଡ଼ା ହୋଇଥିଲା। ବିଜେପିର ଶାସନରେ ସ୍ଥିତି ଭଲ ଅଛି। ଜଳସେଚନ ଓ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି।

ଫଳାଫଳ ଯାହା ହେଉ, କଂଗ୍ରେସ ଅସଲି ବିଜେତା: ଗହଲୋତ


ଗୁଜରାଟ କଂଗ୍ରେସ ପ୍ରଭାରୀ ଅଶୋକ ଗହଲୋତ କହିଛନ୍ତି, ବିଜେପି ଭାବନାତ୍ମକ ପ୍ରସଙ୍ଗକୁ ନେଇ ନିର୍ବାଚନକୁ ଓହ୍ଲାଇଥିଲା। ମୋଦି ମତଦାତାଙ୍କୁ କହିଥିଲେ, ସେ ଗୁଜରାଟର ପୁଅ। କଂଗ୍ରେସ ଗରିବ, ଦଳିତ, ଜନଜାତି ଓ ବ୍ୟବସାୟୀଙ୍କ ସ୍ୱାର୍ଥକୁ ନେଇ ପ୍ରଚାର କରିଛି। ସେ କହିଛନ୍ତି, ଫଳାଫଳ ଯାହା ବି ହେଉ କଂଗ୍ରେସ ଓ ରାହୁଲ ଗାନ୍ଧି ଅସଲି ବିଜେତା।

ସମ୍ବନ୍ଧିତ ଖବର