ନୂଆଦିଲ୍ଲୀ: ବିଜେପି ଅଭିଯୋଗ କରିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିଳାସପୂର୍ଣ୍ଣ ବାସଭବନ (ଶୀଶ ମହଲ)ରେ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ଦ୍ୱାରା ଲଗାଯାଇଥିବା ଉପକରଣ ତାଲିକାରେ ‘ଫୁଲ୍‌ ବଡି ମସାଜର’ ଓ ‘ଜକୁଜି’ (ଗରମ ପାଣି ଓ ବଡି ମସାଜ୍‌  ସୁବିଧା ଥିବା ବଡ଼ ବାଥ୍‌ ଟବ୍) ଭଳି ବିଳାସପୂର୍ଣ୍ଣ ଜିନିଷ ସମେତ ବ୍ୟୟବହୁଳ ଫିଟିଂ ଓ ନବୀକରଣ ଦେଖିବାକୁ ମିଳିଛି। ସିଭିଲ୍ ଲାଇନ୍ସର ୬ ଫ୍ଲାଗଷ୍ଟାଫ୍ ରୋଡ୍‌ସ୍ଥିତ ବାସଭବନରେ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ରହୁଥିଲେ। ଅକ୍ଟୋବରରେ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାସଭବନ ଖାଲି କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଆତିଶୀ ସେଠାରେ ରହିବାକୁ ଯାଇଥିଲେ। ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏକ୍ସରେ ପୋଷ୍ଟ କରିଥିବା ଏକ ଭିଡିଓରେ ବାସଭବନରୁ ମିଳିଥିବା ବିଭିନ୍ନ ବିଳାସ ସାମଗ୍ରୀ ଦେଖିବାକୁ ମିଳିଛି।

Advertisment

‘କେଜ୍ରିୱାଲ ଭିଆଇପି ସଂସ୍କୃତିର ସବୁଠାରୁ ବଡ଼ ପ୍ରତୀକ’

ରୋଷେଇ ଘର, ଶୌଚାଳୟ, ଧୋଇବା ସ୍ଥାନ ଓ ଜିମ୍‌ରେ ୭୫ଟି ବୋସ୍ ସିଲିଂ ସ୍ପିକର ଲାଗିଥିବା ବିଜେପି ଦାବି କରିଛି। ପିଡବ୍ଲ୍ୟୁଡି ତାଲିକାରେ ୯୩୪ ଲିଟର ବିଶିଷ୍ଟ ମଲ୍ଟି ଡୋର୍ ଫ୍ରିଜ୍ ମଧ୍ୟ ରହିଛି, ଯେଉଁଥିରେ ଏଆଇ ଏବଂ ଉନ୍ନତ ବୈଷୟିକ ବୈଶିଷ୍ଟ୍ୟ ରହିଛି। ପିଡବ୍ଲ୍ୟୁଡି ଦ୍ୱାରା ତାଲିକାଭୁକ୍ତ ବିଳାସ ସାମଗ୍ରୀ ମଧ୍ୟରେ ଟଚ୍‌ସ୍କ୍ରିନ୍ ସହିତ ଏକ ୭୩ ଲିଟର ଷ୍ଟିମ୍ ଓଭନ୍ ମଧ୍ୟ ଥିଲା। ମାଲବ୍ୟଙ୍କ ଟ୍ୱିଟ୍‌ର କିଛି ସମୟ ପୂର୍ବରୁ ବିଜେପି ମୁଖପାତ୍ର ଗୌରବ ଭାଟିଆ ଏକ ସାମ୍ବାଦିକ ସମ୍ମିଳନୀ କରି ଅରବିନ୍ଦ କେଜ୍ରିୱାଲ ଭିଆଇପି ସଂସ୍କୃତିର ସବୁଠାରୁ ବଡ଼ ପ୍ରତୀକ ପାଲଟିଛନ୍ତି ବୋଲି କହିଥିଲେ। ଭାଟିଆ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ ୨୫୦ ଟନ୍‌ର ଏୟାର କଣ୍ଡିସନିଂ ପ୍ଲାଣ୍ଟ ବ୍ୟତୀତ ୨୧,୦୦୦ ବର୍ଗଫୁଟର ବିଲ୍ଟ-ଅପ୍ ଏରିଆ ଏବଂ ୫୦ ଏସି ରହିଛି। ବାସଭବନରେ ପ୍ରାୟ ୧୨ କୋଟି ଟଙ୍କାର ବିଳାସପୂର୍ଣ୍ଣ ସାମଗ୍ରୀ ରହିଛି। ଗୋଟିଏ ଟିଭିର ମୂଲ୍ୟ ୨୮.୯୧ ଲକ୍ଷ ଟଙ୍କାରୁ ଅଧିକ। ବିଜେପି ଅନୁଯାୟୀ ବିଳାସପୂର୍ଣ୍ଣ ଆଭ୍ୟନ୍ତରୀଣ କାମ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯେଉଁଥିରେ ୧୨ଟି ବଡ଼ ଝୁମର, ୫୭ଟି ସିଲିଂ ଫ୍ୟାନ୍ ଏବଂ ୫୦ ଲକ୍ଷ ଟଙ୍କାର ହାତ-ତିଆରି କାର୍ପେଟ୍ ରହିଛି। ଏଥିରେ ୪୧ ଲକ୍ଷ ଟଙ୍କା ମୂଲ୍ୟର ପିତଳ ରେଲିଂ ଓ ଏକ ସିଡି ମଧ୍ୟ ରହିଛି। ଏହି ତାଲିକାରେ ୭୩ ଲକ୍ଷ ଟଙ୍କାର ୫୫ରୁ ୭୭ ଇଞ୍ଚର ଟିଭି ଏବଂ ୨୦ ଲକ୍ଷ ଟଙ୍କା ମୂଲ୍ୟର ଜକୁଜି, ସୌନା (ଷ୍ଟିମ୍ ବାଥ୍‌ ପାଇଁ ବ୍ୟବସ୍ଥା), ଫୁଲ ବଡି ମସାଜର୍‌ ଭଳି ବିଳାସପୂର୍ଣ୍ଣ ଜିନିଷ ରହିଛି ବୋଲି ବିଜେପି କହିଛି।