ରାଜ୍ୟର ୮୦% ଲୋକଙ୍କ ଘରେ ସ୍ବାମୀ ବିବେକାନନ୍ଦଙ୍କ ଫଟୋ ଲଗାଗଲେ ବିଜେପି ଆହୁରି ୩୦-୩୫ ବର୍ଷ ଶାସନ କରିବ : ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କର ଏକ ବୟାନକୁ ନେଇ ଏବେ ଖୁବ୍‌ ଜୋର୍‌ରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଯଦି ରାଜ୍ୟର ୮୦ ପ୍ରତିଶତ ଲୋକଙ୍କ ଘର ଦୁଆର ମୁହଁରେ ସ୍ବାମୀ ବିବେକାନନ୍ଦଙ୍କ ଫଟୋ ସହ ତାଙ୍କ ବାର୍ତ୍ତା ଟଙ୍ଗା ଯାଏ ତେବେ ବିଜେପି ଆହୁରି ୩୦-୩୫ ବର୍ଷ ଶାସନ କରିବ।

ଶାସକ ବିଜେପିର ମହିଳା ମୋର୍ଚାକୁ ଘରେ ଘରେ ବିବେକାନନ୍ଦଙ୍କ ଫଟୋ ବାଣ୍ଟିବାକୁ କହି ରାଜ୍ୟର ସମସ୍ତଙ୍କ ଘର ଦୁଆରେ ଏହା ଟଙ୍ଗା ଯାଉଛି କି ନାହିଁ ତାହାକୁ ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି ବିପ୍ଳବ କୁମାର।


The Quint

ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କହିଛନ୍ତି କି ‘ମୁଁ ବ୍ୟକ୍ତିଗତ ଭାବେ ମୋ ଗାଁରେ ଦେଖିଛି ଯେ କମ୍ୟୁନିଷ୍ଟ ନେତାମାନେ ସେମାନଙ୍କ ଘରେ ଜ୍ୟୋତି ବସୁ, ଜୋସେଫ ଷ୍ଟାଲିନ, ମାଓ ସେ ତୁଙ୍ଗଙ୍କ ଫଟୋ ଚିତ୍ର ଟାଙ୍ଗିଥାନ୍ତି। ଆମେ ଯେଉଁ ସ୍ଥାନରେ ଆମ ଦେବତାଙ୍କ ଫଟୋ ଟାଙ୍ଗିଥାନ୍ତି ସେମାନେ ସେଠାରେ ଏମାନଙ୍କ ଫଟୋ ଟାଙ୍ଗିଥାନ୍ତି। ଗତ ଅଢ଼େଇ ବର୍ଷ ମଧ୍ୟରେ ଆମେ ଆମ ଘରମାନଙ୍କରେ ସ୍ବାମୀ ବିବେକାନନ୍ଦଙ୍କ ଫଟୋ ଟାଙ୍ଗିଛନ୍ତି କି? ଯଦି ରାଜ୍ୟର ୮୦ ପ୍ରତିଶତ ଲୋକ ଏପରି କରନ୍ତି ତେବେ ଦଳ ତା’ର ଆଦର୍ଶ ଓ ମୂଲ୍ୟବେ‌ାଧ ବଜାୟ ରଖିଛି ବୋଲି ଆମେ କହିପାରିବା। ତେବେ ଯାଇ ବିଜେପି ସରକାର ଆହୁରି ୩୦-୩୫ ବର୍ଷ ଶାସନ କରିବ।’

‌ସେ ଆହୁରି ବି କହିଛନ୍ତି ଯେ, ‘ସ୍ବାମୀ ବିବେକାନନ୍ଦ କହିଛନ୍ତି ଅଳ୍ପ କଥା କହି କାମରେ ମନ ନିବେଶ କରିବା ଉଚିତ। ଅଧିକ କଥା ହେଲେ ଶକ୍ତି କ୍ଷୟ ହୋଇଥାଏ। ତେ‌ଣୁ, ଆମେ ଆମ ଶକ୍ତିର ଅପଚୟ ନକରିବା ଉଚିତ।’ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତ ଅଗଷ୍ଟରେ ବିପ୍ଲବ କୁମାର ଦେବ କୋଭିଡ୍‌-୧୯ ଆକ୍ରାନ୍ତମାନଙ୍କ ମାନସିକ ସନ୍ତୁଳନକୁ ନିୟନ୍ତ୍ରଣରେ ରଖିବା ପାଇଁ ସ୍ବାମୀ ବିବେକାନନ୍ଦଙ୍କ ଲିଖିତ ପୁସ୍ତକ ବାଣ୍ଟି ଚର୍ଚ୍ଚାର ପରିସରକୁ  ଆସିଥିଲେ।

ସମ୍ବନ୍ଧିତ ଖବର