ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଅନୁସୂଚିତ ଜାତି, ଜନଜାତି, ଓବିସି ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବୃତ୍ତିକୁ ଯୋଜନାବଦ୍ଧ ଭାବେ ହ୍ରାସ କରୁଛି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି। ଗତ ଏକ ଦଶନ୍ଧି ମଧ୍ୟରେ ଛାତ୍ରବୃତ୍ତି ହିତାଧିକାରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ଦର୍ଶାଇ ରାଜ୍ୟସଭାର ପ୍ରତିକ୍ରିୟା ଓ ବଜେଟ୍ ଦସ୍ତାବିଜରୁ ମିଳିଥିବା ସରକାରୀ ତଥ୍ୟକୁ ଉଦାହରଣ ଦେଇଛନ୍ତି ଖଡ଼ଗେ। ଏହି ସବୁ କାର୍ଯ୍ୟକ୍ରମ ପାଇଁ ଆବଣ୍ଟିତ ପାଣ୍ଠି ମଧ୍ୟ ବାର୍ଷିକ ହାରାହାରି ୨୫ ପ୍ରତିଶତ ହ୍ରାସ କରାଯାଇଛି ବୋଲି ସେ ଦାବି କରିଛନ୍ତି।

Advertisment

‘ଆପଣଙ୍କ ସରକାର ଦେଶର ଏସ୍‌ସି, ଏସ୍‌ଟି, ଓବିସି ଓ ସଂଖ୍ୟାଲଘୁ ଯୁବକଙ୍କ ସ୍କଲାରସିପ୍ ଛଡ଼ାଇ ନେଇଛନ୍ତି। ଏହି ଲଜ୍ଜାଜନକ ସରକାରୀ ପରିସଂଖ୍ୟାନ ଦର୍ଶାଉଛି ଯେ ମୋଦୀ ସରକାର କେବଳ ସମସ୍ତ ବୃତ୍ତିରେ ହିତାଧିକାରୀଙ୍କ ସଂଖ୍ୟାରେ ବ୍ୟାପକ ହ୍ରାସ କରିନାହାନ୍ତି ବରଂ ବର୍ଷକୁ ବର୍ଷ ହାରାହାରି ୨୫ ପ୍ରତିଶତ କମ୍ ପାଣ୍ଠି ଖର୍ଚ୍ଚ କରିଛନ୍ତି’ ବୋଲି ଖଡ଼ଗେ ଏକ୍ସରେ ଲେଖିଛନ୍ତି। ଯଦି ଅବହେଳିତ ପୃଷ୍ଠଭୂମିର ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ସହାୟତା ଦିଆ ନ ଯାଏ ତେବେ ଦେଶ କିପରି ଏହାର ଯୁବକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବ ବୋଲି କଂଗ୍ରେସ ଅଧ୍ୟକ୍ଷ ପ୍ରଶ୍ନ କରିଛନ୍ତି। ବିଜେପିର ‘ସବକା ସାଥ, ସବକା ବିକାଶ’ ସ୍ଲୋଗାନକୁ ସମାଲୋଚନା କରି ସେ ଏହାକୁ କେବଳ ବୟାନବାଜି ବୋଲି କହିଛନ୍ତି, ଯାହା ଦୁର୍ବଳ ବର୍ଗଙ୍କ ଆକାଂକ୍ଷାକୁ ଉପହାସ କରୁଛି। ଏହା ପୂର୍ବରୁ ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ସମାଲୋଚନା କରି ଉଭୟ ସମ୍ବିଧାନବିରୋଧୀ ବୋଲି ଦାବି କରିଥିଲେ।