ବିଜେପି ଆମକୁ ଅଫର୍‌ ଦେଇଛି: କେଜ୍ରିୱାଲ

‘ଗୁଜରାଟ ଛାଡ଼ିଦିଅ, ଆମେ ସତ୍ୟେନ୍ଦ୍ରଙ୍କୁ ଛାଡ଼ିଦେବୁ’

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । କେଜ୍ରିୱାଲ କହିଛନ୍ତି, ବିଜେପି ତାଙ୍କୁ ଅଫର୍‌ ଦେଇଛି ଯେ ଯଦି ଆପ୍‌ ଆଗାମୀ ଗୁଜରାଟ ନିର୍ବାଚନରୁ ଓହରି ଆସିବ ତେବେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆଙ୍କ ବିରୋଧରେ ଥିବା ସମସ୍ତ ଦୁର୍ନୀତି ମାମଲାକୁ ହଟାଇ ଦିଆଯିବ। କେଜ୍ରିୱାଲ କହିଛନ୍ତି, ମନୀଷ ସିସୋଦିଆ ସେମାନଙ୍କ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଫରକୁ ପ୍ରତ୍ୟାଖ୍ୟାନ କରିବାପରେ ସେମାନେ ଏବେ ମତେ ଅନୁରୋଧ କରୁଛନ୍ତି। ସେମାନେ କହିଛନ୍ତି, ଯଦି ତୁମେ ଗୁଜରାଟ ଛାଡ଼ିଦିଅ ଏବଂ ଗୁଜରାଟରେ ନ ଲଢ଼ିବାକୁ ନିଷ୍ପତ୍ତି ନେବ ତେବେ ଆମେ ସତ୍ୟେନ୍ଦ୍ର ଏବଂ ସିସୋଦିଆଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବୁ। ତେବେ କିଏ ଅଫର୍‌ ଦେଇଛି ବୋଲି ପ୍ରଶ୍ନ କରାଯିବାରୁ କେଜ୍ରିୱାଲ ଏହାର ଜବାବ ଦେଇନଥିଲେ। ସେ କହିଛନ୍ତି, ମୁଁ ମୋ ନିଜ ଲୋକଙ୍କ ନାଁ କିଭଳି ଭାବେ କହିପାରିବି। ବିଜେପି କେବେ ବି ସିଧାସଳଖ ଅନୁରୋଧ କରିନାହିଁ ବୋଲି ସେ କହିଛନ୍ତି। ବିଜେପି ଗୁଜରାଟ ନିର୍ବାଚନ ହାରିଯିବ ବୋଲି ବହୁତ ଭୟରେ ଅଛି ବୋଲି ଆପ୍‌ ମୁଖ୍ୟ ଦାବି କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଆପ୍‌ ହିଁ ଗୁଜରାଟରେ ପରବର୍ତ୍ତୀ ସରକାର ଗଠନ କରିବ। କଂଗ୍ରେସ ଗୁଜରାଟରେ ୫ରୁ କମ୍‌ ଆସନ ପାଇବ ବୋଲି କେଜ୍ରିୱାଲ କହିଛନ୍ତି। କେଜ୍ରିୱାଲ କହିଛନ୍ତି, ଆପ୍‌ ଗୁଜରାଟରେ କଂଗ୍ରେସକୁ ଟପି ନମ୍ବର ୨ ହୋଇସାରିଛି। ଆସନ୍ତା ମାସକୁ ଏହା ବିଜେପିକୁ ମଧ୍ୟ ଟପିଯିବ। କେଜ୍ରିୱାଲଙ୍କ ଅଭିଯୋଗ ନେଇ ଗୁଜରାଟ ବିଜେପି ନେତାମାନେ କହିଛନ୍ତି ଯେ କେଜ୍ରିୱାଲଙ୍କ ମିଛ ଓ ବିଭ୍ରାନ୍ତି ସଂପର୍କରେ ରାଜ୍ୟବାସୀ ଭଲଭାବେ ଜାଣନ୍ତି।

ବିସ୍ଫୋରକ ଅଭିଯୋଗ ଆଣିଲେ ସୁକେଶ, ରାଜ୍ୟସଭା ଆସନ ପାଇଁ ୫୦ କୋଟି ନେଇଛନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ଜେଲ୍‌ରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ଶୁକ୍ରବାର ଦିନ ତାଙ୍କ ଓକିଲ ପାଖକୁ ଏକ ଚିଠି ଲେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ତିହାର ଜେଲ୍‌ ପୂର୍ବତନ ଡିଜିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସତ୍ୟେନ୍ଦ୍ର ଜୈନ ଏବଂ ତିହାର ଜେଲ୍‌ ପୂର୍ବତନ ଡିଜିଙ୍କ ବିରୋଧରେ ଉପରାଜ୍ୟପାଳଙ୍କ ପାଖକୁ ଚିଠି ଲେଖିବାପରେ ସୁକେଶ ତାଙ୍କୁ ଧମକ ମିଳିଥିବା କହିଛନ୍ତି। ସେ କେଜ୍ରିୱାଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କ‌ରିବେ ବୋଲି ଚିଠିରେ ଲେଖିଛନ୍ତି। କାରଣ କେଜ୍ରିୱାଲ ସୁକେଶ ଚନ୍ଦ୍ରଶେଖରଙ୍କୁ ‘ଦେଶର ସବୁଠୁ ବଡ଼ ଠକ’ କହି ଏକ ଟ୍ବିଟ୍‌ କରିଥିଲେ। ଅନ୍ୟ ଏକ ବଡ଼ ଦାବି କରି ସୁକେଶ କହିଛନ୍ତି ଯେ ରାଜ୍ୟସଭା ଆସନ ଦେବାପାଇଁ ସେ କେଜ୍ରିୱାଲଙ୍କୁ ୫୦ କୋଟି ଦେଇଛନ୍ତି।

ଜେଲ୍‌ରୁ ଚିଠି ଲେଖି କେଜ୍ରିୱାଲଙ୍କୁ ‘ମହାଠକ’ କହିଲେ
ଆପ୍‌ର ଅଭିଯୋଗ: ବିଜେପି ସୁକେଶଙ୍କୁ ଥୋପ କରିଛି

ସୁକେଶ କହିଛନ୍ତି, କେଜ୍ରିୱାଲଜୀ ଯଦି ଆପଣଙ୍କ ଅନୁଯାୟୀ ମୁଁ ଦେଶର ସବୁଠୁ ବଡ଼ ଠକ ତେବେ ମୋଠାରୁ ୫୦ କୋଟି ଟଙ୍କା ନେଇ ଆପଣ ଜଣେ ମହାଠକ ଭାବେ ପ୍ରମାଣିତ ହୋଇସାରିଛନ୍ତି। ସୁକେଶ ପୁଣି ଏକ ଅଭିଯୋଗ ଆଣି କହିଛନ୍ତି ଯେ ୨୦୧୬ରେ କେଜ୍ରିୱାଲ ସତ୍ୟେନ୍ଦ୍ର ଜୈନଙ୍କ ସହ ହାୟତ ଭିକାଜୀ ପ୍ଲେସ୍‌ରେ ତାଙ୍କ ଡିନର ପାର୍ଟି‌ରେ ଯୋଗ ଦେଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୁକେଶ କୈଳାସ ଗେହଲଟଙ୍କୁ ୫୦ କୋଟି ଦେଇଥିବା କହିଛନ୍ତି। ରାଜ୍ୟସଭା ଆସନ ବଦଳରେ ବିଭିନ୍ନ ବ୍ୟବସାୟୀଙ୍କଠାରୁ ଆପ୍‌ ପାଇଁ ୫୦୦ କୋଟି ଯୋଗାଡ଼ କରିବାପାଇଁ କେଜ୍ରିୱାଲ ତାଙ୍କୁ ବାଧ୍ୟ କରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର