ଦିଲ୍ଲୀରେ ମମିତା ହତ୍ୟା ପ୍ରସଙ୍ଗ ଉଠାଇଲା ବିଜେପି

ନୂଆଦିଲ୍ଲୀ : ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆଜି ବିଜେପିର ଜାତୀୟ ମୁଖପାତ୍ର ଡ. ସମ୍ବିତ୍‌ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି କର୍ମୀ ତଥା କିଛି ପ୍ରବାସୀ ଓଡିଆ ପ୍ରଥମେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀର ପଟେଲ ଚୌକସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇସାରିବା ପରେ ପ୍ରତିମୂର୍ତ୍ତି ତଳେ ବସି ମମିତା ହତ୍ୟା ଘଟଣାକୁ ନେଇ ପ୍ରତିବାଦ କରିବା ସହିତ ନ୍ୟାୟ ଦାବି କରିଥିଲେ। ‘ଜଷ୍ଟିସ୍‌ ଫର ମମିତା ମେହେର’ ପ୍ଲାକାର୍ଡ ଧରି ଓ ସ୍ଲୋଗାନ ଦେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ମମିତା ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଏବଂ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଥିଲେ।

ସମ୍ବିତ୍‌ ପାତ୍ର କହିଥିଲେ, ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିଜେ ଗୃହ ରାଷ୍ଟ୍ରମନ୍ତ୍ରୀ ଥିବାରୁ ଏଭଳି ଏକ ହୃଦୟବିଦାରକ ଓ ଜଘନ୍ୟ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି। ଏହି ମମାଲାକୁ ନେଇ ବିଜେପି ରାଜନୀତି କରିବାକୁ ଚାହୁଁନାହିଁ। କେବଳ ପୀଡିତାଙ୍କ ପାଇଁ ନ୍ୟାୟ ଦାବି କରୁଛି। ଓଡିଶା ସରକାର ମମିତାକୁ ନ୍ୟାୟ ଦେବାକୁ ଚାହୁଁ ନାହିଁ,ତେଣୁ ଆମେ ରାଜରାସ୍ତାକୁ ଆସିଛୁ। ମମିତା ମେହେର ମାମଲା ଏବେ କେବଳ ଓଡିଶାର ମାମଲା ହୋଇ ରହିନାହିଁ, ଏହା ଦେଶର ମାମଲା ହେଲାଣି ବୋଲି ସେ କହିଥିଲେ। ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କର ପ୍ରତିବାଦ, ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିବ ବୋଲି ବିଜେବି ନେତାମାନେ ଚେତାବନୀ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ମମିତା ମେହେର ହତ୍ୟାକାଣ୍ଡ ମାମଲାକୁ ନେଇ ସାରା ଓଡିଶାରେ ବିଜେପି ଦ୍ବାରା ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପ୍ରଥମ ଥର ପାଇଁ ଏହାର ତାତି ଦିଲ୍ଲୀରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର