କେମିତି ଜିତିବେ ମୋଦୀ, ନମୋଙ୍କ ପାଇଁ କାଶୀରେ ପହଞ୍ଚିଲେ ବିଜେପିର ହେଭିୱେଟ

ବାରଣାସୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯାୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ବାରଣାସୀ , କାରଣ ଦ୍ଵିତୀୟଥର ପାଇଁ ମୋଦୀ ଏଠାରୁ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି | ଆସନ୍ତା ମେ ୧୯ ତାରିଖରେ ଏଠାରେ ଭୋଟ୍ ଗ୍ରହଣ ହେବାକୁ ଯାଉଛି | ସେଥିପାଇଁ କାଶୀ ବା ବାରାଣସୀରେ ପହଞ୍ଚିବାରେ ଲାଗିପଡିଛନ୍ତି ବିଜେପିର ବହୁ ବରିଷ୍ଠ ନେତା | କାଶୀକୁ ପୁଣିଥରେ କବଜା କରିବା ପାଇଁ ଏବେ ଆରମ୍ଭ ହୋଇଯାଇଛି କ୍ୟାମ୍ପ | ମୋଦୀ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ତାଙ୍କ ପାଇଁ ଅନ୍ୟ ନେତାମାନେ ପହଞ୍ଚିଗଲେଣି |

photo–jansatta

ଗତ ରବିବାର ଦିନ ବିଜେପି ଅଧ୍ୟକ୍ଷ ଅମିତ ଶାହା ଘର ଘର ବୁଲି ଭୋଟ ମାଗିଥିବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତି ଦୁଇ ଦିନରେ ଥରେ ବାରଣାସୀ ମୁହାଁ ହେଉଛନ୍ତି | ସେପଟେ ମୋଦୀଙ୍କୁ କଡା ଟକ୍କର ଦେବାକୁ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ରୋଡ଼ ସୋ କରି ଭୋଟରଙ୍କ ମନ ଜିତିବାକୁ ପ୍ରୟାସ କରୁଛନ୍ତି | ତେବେ ବିଜେପି ଓ କଂଗ୍ରେସ ସହ ମୁକାବିଲା କରି ବୁଆ-ବବୁଆ ଭାବେ ପରିଚିତ ଅଖିଳେଶ ଓ ମାୟାବତୀ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି | କାଶୀକୁ ଏଥର ବି ପଦ୍ମମୟ କରିବାକୁ ଅମିତ ଶାହା ବିଜେପି ନେତାଙ୍କ ସହ ବୈଠକ କରିଛନ୍ତି | ବିଶେଷ କରି ପ୍ରତି କାର୍ଯ୍ୟକର୍ତ୍ତା ୧୦ଟି ପରିବାରକୁ ଭେଟିବାକୁ ଶାହା ନିର୍ଦ୍ଦେଶ ଦେଇଛନ୍ତି | ଗତ ସୋମବାର ଦିନ ଶାହା ପଶ୍ଚିମବଙ୍ଗ ଯାଇ ନିର୍ବାଚନ ପ୍ରଚାର କରିଥିବାବେଳେ ପୁଣି ସନ୍ଧ୍ୟାରେ ଆସି ବାରାଣସୀରେ ବୈଠକ କରିଥିଲେ | ଚର୍ଚ୍ଚା ହେଉଛି ଆସନ୍ତା ମେ ୧୭ ତାରିଖ ଯାଏଁ ଶାହା କାଶୀରେ ହିଁ ରହିବେ |

ଶାହାଙ୍କ ଛଡା ବିଜେପି ସାଧାରଣ ସଂପାଦକ ମୁରଲୀଧର ରାଓ, ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରମୁଖ ବାରାଣସୀରେ ଲୋକଙ୍କ ମନକୁ ପରଖିବାକୁ ପ୍ରଚେଷ୍ଟା କରୁଛନ୍ତି | ଠିକ ସେହିପରି ଆସନ୍ତା ୧୫ ତାରିଖରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଗଙ୍ଗା ନଦୀ କୂଳରେ ଥିବା ନୁଁକ୍କଡ ଘାଟରେ ଜନସଭାକୁ ସମ୍ବୋଧିତ କରିବେ | ରେଳମନ୍ତ୍ରୀ ପିୟୁଷ ଗୋୟଲ ଓ ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏବେ କାଶୀରେ ଡେରା ପକାଇଛନ୍ତି | ବିଜେପିର ଦେଶ ସାରା ଥିବା ଷ୍ଟାର ପ୍ରଚାରକମାନେ ଏବେ କାଶୀର ପ୍ରାୟ ଘରକୁ ଘର ବୁଲି ନିଜ ନେତାଙ୍କ ପାଇଁ ଭୋଟ ମାଗୁଥିବାର ଦେଖିବାକୁ ମିଳିଛି |

ଏହି ସମୟରେ ମୋଦୀ ଲହରକୁ କମାଇବାକୁ କଂଗ୍ରେସ ବି ଅଣ୍ଟା ଭିଡିଛି | ପ୍ରିୟଙ୍କା ଗାନ୍ଧୀଙ୍କ ସହ ଯୁବ କଂଗ୍ରେସର ଟିମ ଡୋର ଟୁ ଡୋର କାର୍ଯ୍ୟକ୍ରମରେ ଭୋଟରଙ୍କୁ ଭେଟିଛନ୍ତି | ସେପଟେ ବସପା-ସପା ମେଣ୍ଟ, ବିଜେପି-କଂଗ୍ରେସକୁ ଟକ୍କର ଦେବାକୁ ଆସନ୍ତା ୧୬ ତାରିଖରେ ଏକ ବଡ ରାଲିର ଆୟୋଜନ କରିବାର ଯୋଜନାରେ ଅଛି | ରାଲି ପରେ ଅଖିଳେଶ ମାୟାବତୀ ବାରାଣସୀରେ ରହି ନିର୍ବାଚନୀ କାର୍ଯ୍ୟକ୍ରମକୁ ନେଇ କର୍ମୀଙ୍କ ସହ ଆଲୋଚନା କରିବାର ଯୋଜନା ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳିଛି |

ସମ୍ବନ୍ଧିତ ଖବର