ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)କୁ ହରାଇ ସରକାର ଗଢିବାକୁ ଯାଉଛି କଂଗ୍ରେସ । ୩ଟି ରାଜ୍ୟରେ ହାରିଥିବା କଂଗ୍ରେସ ପାଇଁ ଏହା ଏକମାତ୍ର ସାନ୍ତ୍ବନା ରହିଛି । ଏହି ରାଜ୍ୟରେ ବିଜେପି ମାତ୍ର ୯ଟି ଆସନ ଜିତିଛି ବା ଆଗୁଆ ରହିଛି । ତେବେ ଗତ ଥରର ପ୍ରଦର୍ଶନକୁ ଦେଖିଲେ ଏଥର ବିଜେପି ନିଜ ସ୍ଥିତିରେ ଢେର ଉନ୍ନତି ଆଣିଛି । ସେପଟେ ନିଜ ରାଜ୍ୟରେ ନୈରାଶ୍ୟର ସମ୍ମୁଖୀନ ହୋଇଛନ୍ତି ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବୈସି । ଏପରି ତାଙ୍କର ଗଡ଼ରେ ବିଜେପି ପଶିଯାଇଛି ।
ବିଜେପି ପ୍ରାର୍ଥୀ ରାଜା ସିଂହ ବିଆରଏସ ପ୍ରାର୍ଥୀ ନନ୍ଦ କିଶୋର ବ୍ୟାସଙ୍କୁ ପରାସ୍ତ କରି ଗୋଶାମହଲ ବିଧାନସଭା ଆସନରେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ହାଇଦ୍ରାବାଦରେ ଓୱେସିଙ୍କ ଦୁର୍ଗ ଭୁଶୁଡ଼ି ପଡ଼ିଥିବା ଜଣାପଡିଛି। ନାମପଲ୍ଲୀ ଓ କରୱାନ ଆସନରେ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ପଛରେ ରହିଛି। ଓୱେସିଙ୍କ ଗଡ଼ କରୱାନରେ ବିଜେପି ପ୍ରାର୍ଥୀ ଅମର ସିଂ ଆଗୁଆ ରହିଛନ୍ତି। ସେହିପରି ନାମପଲ୍ଲୀରେ କଂଗ୍ରେସ ଆଗୁଆ ରହିଛି।
ଏଆଇଏମଆଇଏମ୍ ପ୍ରାର୍ଥୀ ଆକବରୁଦ୍ଦିନ ଓୱେସି ଏବଂ ମୀର ଜୁଲଫେକର ଅଲ୍ଲୀ ଚନ୍ଦ୍ରଯାନଗୁଟ୍ଟା ଏବଂ ଚାରିମିନାର ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟ ୪ ଜଣ ଦଳୀୟ ପ୍ରାର୍ଥୀ ଚନ୍ଦ୍ରଯାନଗୁଟ୍ଟା, ମଲାକପେଟ ଏବଂ ବାହାଦୁରପୁରା ବିଧାନସଭା ଆସନରେ ଆଗୁଆ ଅଛନ୍ତି। ହାଇଦ୍ରାବାଦର ୭ଟି ଆସନ ଏଆଇଏମଆଇଏମର ଗଡ଼ ବୋଲି ବିବେଚନା କରାଯାଏ ଏବଂ ଏହି ୭ଟି ଆସନମଧ୍ୟରୁ ୨ଟିରେ ଏଆଇଏମଆଇଏମ୍ ବିଜୟୀ ହୋଇଛି। ୩ ଟିରେ ଆଗୁଆ ରହିଛି। ଓୱେସିଙ୍କ ନିବେଦନ ଏବଂ ବିଆରଏସ ସପକ୍ଷରେ ଏକ ବଡ଼ ସାଧାରଣ ସଭା ସତ୍ତ୍ୱେ ତେଲେଙ୍ଗାନାରେ ମୁସଲମାନ ଭୋଟ କଂଗ୍ରେସ ଆଡକୁ ମୁହାଁଇଛି ବୋଲି ମନେ କରାଯାଉଛି ।