ନୂଆଦିଲ୍ଲୀ: ହରିୟାଣାରେ ଶାସକ ବିଜେପି ଆଜି ଇତିହାସ ସୃଷ୍ଟି କରିଛି। ବୁଥ୍ ବାହୁଡ଼ା ମତ ତଥା ବିଭିନ୍ନ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ଦଳ ତୃତୀୟ ଥର ପାଇଁ କ୍ଷମତାକୁ ଫେରିଛି। ଲୋକସଭା ନିର୍ବାଚନ ପରେ ପ୍ରଥମ ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନରେ ବିଜେପି ହରିୟାଣାରେ ହ୍ୟାଟ୍ରିକ୍ କରି କଂଗ୍ରେସର ବିଜୟ ଯାତ୍ରାକୁ ରୋକିଦେଇଛି। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରରେ କଂଗ୍ରେସ-ନ୍ୟାସନାଲ କନଫରେନ୍ସ (ଏନ୍ସି) ମେଣ୍ଟ ବାଜି ମାରିଛି। ପିଡିପି ଓ ବିଜେପିକୁ ମାତ୍ ଦେଇ ଏନ୍ସି ମେଣ୍ଟ ଏହି ଗୁରୁତ୍ବପୂର୍ଣ୍ଣ ବିଜୟ ହାସଲ କରିବା ସହ ଜମ୍ମୁ-କଶ୍ମୀରରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିଛି। ଏନ୍ସି ସୁପ୍ରିମୋ ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି ଯେ ତାଙ୍କ ପୁଅ ଓମାର ଅବଦୁଲ୍ଲା ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଅନ୍ୟପକ୍ଷରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସଇନିଙ୍କ ନେତୃତ୍ବରେ ଦଳକୁ ସଫଳତା ମିଳିଥିବାରୁ ବିଜେପି ପୁଣି ଥରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରିଛି।
ବିକାଶ ଓ ସୁଶାସନର ବିଜୟ: ମୋଦୀ
କଂଗ୍ରେସର ସ୍ବପ୍ନ ହରିୟାଣାେର ଧୂଳିସାତ୍
ବିଜେପିର ମିସନ୍ କଶ୍ମୀର ଫେଲ୍
ହରିୟାଣାରେ ଖାତା ଖୋଲିପାରିଲାନି ଆପ୍
ହରିୟାଣାରେ ୯୦ଟି ବିଧାନସଭା ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ହେଉଛି ୪୬। ତୀବ୍ର ମୁକାବିଲା ଭିତରେ ବିଜେପି ରାଜ୍ୟରେ ୪୮ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୩୭ଟି ଆସନରେ ବିଜୟୀ ହୋଇଛି। ଆଇଏନ୍ଏଲ୍ଡି (ଭାରତୀୟ ଜାତୀୟ ଲୋକଦଳ) ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଜେଜେପି ଗୋଟିଏ ବି ଆସନ ହାସଲ କରିପାରିନାହିଁ। ରାଜ୍ୟରେ ଆପ୍ ଖାତା ଖୋଲିପାରିନଥିବା ଦଳ ପାଇଁ ବହୁତ ବଡ଼ ଝଟ୍କା ହୋଇଥିବା ବେଳେ ଅନ୍ୟମାନେ ୩ଟି ଆସନ ହାସଲ କରିଛନ୍ତି। ହରିୟାଣାରେ ଆଜି ପର୍ଯ୍ୟନ୍ତ କୌଣସି ଦଳ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇନଥିବା ବେଳେ ଆଜି ବିଜେପି ନୂଆ ଇତିହାସ ସୃଷ୍ଟି କରିଛି।
ଜମ୍ମୁ-କଶ୍ମୀରରେ ଏକ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ୯୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସ-ଏନସି ମେଣ୍ଟ ୪୯ଟି ଆସନରେ ବିଜୟୀ ହୋଇଛି। ଏଥିରୁ କଂଗ୍ରେସର ଆସନ ସଂଖ୍ୟା ହେଉଛି ୬ ଏବଂ ସିପିଏମ୍ ଗୋଟିଏ ଆସନରେ ବିଜୟୀ ହୋଇଛି। ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୪୮। ପୂର୍ବରୁ ୫ ବିଧାୟକ ଉପରାଜ୍ୟପାଳଙ୍କ ଦ୍ବାରା ମନୋନୀତ ହୋଇଛନ୍ତି। ବିଜେପି ୨୯ଟି ଆସନ ଅକ୍ତିଆର କରିବାକୁ ସକ୍ଷମ ହୋଇଥିବା ବେଳେ ମେହବୁବା ମୁଫତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମାତ୍ର ୩ଟି ଆସନରେ ବିଜୟୀ ହୋଇଛି। ଏଆଇପିକୁ ଗୋଟିଏ ଆସନ ଓ ଅନ୍ୟମାନଙ୍କୁ ୮ଟି ଆସନ ମିଳିଛି। ରାଜ୍ୟରେ ଆପ୍ ଗୋଟିଏ ଆସନ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି। ଜମ୍ମୁ କଶ୍ମୀରରେ ଏନ୍ସି ୨୩.୪୩ ପ୍ରତିଶତ ଭୋଟ୍ (୪୨) ପାଇଥିବା ବେଳେ ବିଜେପିର ଭୋଟ୍ ପ୍ରାୟ ୨୬ ପ୍ରତିଶତ ରହିଛି। କଂଗ୍ରେସ ୧୧.୯୭ ପ୍ରତିଶତ ଭୋଟ୍ ପାଇଥିବା ବେଳେ ପିଡିପି ମାତ୍ର ୯ ପ୍ରତିଶତ ଭୋଟ୍ ପାଇଛି।
ହରିୟାଣାରେ ବିଜେପି ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିଥିବାରୁ ଆଗାମୀ ଦିନରେ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ମଧ୍ୟ ଏହାର ପ୍ରଭାବ ରହିବ ବୋଲି କୁହାଯାଉଛି। ହରିୟାଣାରେ ବିଜେପି ଓ କଂଗ୍ରେସ ଉଭୟ ୪୦ ପ୍ରତିଶତ ଭୋଟ୍ ପାଇଥିବା ବେଳେ ଆଇଏନ୍ଏଲ୍ଡି ୬ ପ୍ରତିଶତ ଭୋଟ୍ ପାଇଛି। ଆଜି ନିର୍ବାଚନ ଫଳାଫଳ ଉପରେ ନିଜର ପ୍ରଥମ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ହରିୟାଣାରେ ବିଜେପିର କ୍ରମାଗତ ତୃତୀୟ ପାଳି ହେଉଛି ବିକାଶ ଓ ସୁଶାସନ ରାଜନୀତିର ବିଜୟ। ସେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଦଳକୁ ପୁଣି ଥରେ ବିଜୟୀ କରାଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/8jCReJfXKizBaeWIHmmk.jpg)