ନୂଆଦିଲ୍ଲୀ: ପୂର୍ବାଂଚଳ (ପୂର୍ବ ଉତ୍ତର ପ୍ରଦେଶ)ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ବଡ଼ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ବିଜେପି। ୨୦୧୪ରେ ଦଳ ସମସ୍ତ ୧୩ଟି ଏବଂ ୨୦୧୯ରେ ୯ଟିରେ ବିଜୟୀ ହୋଇଥିଲା। ଏଥର ଏହି ଅଞ୍ଚଳରେ ନିଜର ନିର୍ବାଚନୀ ଦଖଲକୁ ସୁଦୃଢ଼ କରିବା ପାଇଁ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରିସ୍ମା ଉପରେ ନିର୍ଭର କରୁଛି।

Advertisment

ଯଦିଓ ବାରାଣସୀ ୧୯୯୧ ମସିହାରୁ ବିଜେପିର ଗଡ଼ ହୋଇ ରହିଛି, ୨୦୦୪ରେ ପରାଜୟକୁ ବାଦ୍ ଦେଲେ, ୨୦୧୪ରେ ବିଜେପି ପ୍ରାର୍ଥୀ ଭାବରେ ମୋଦୀ ଏଠାରୁ ଠିଆ ହେବା ପରେ ଏଠାରେ ଦଳର ସ୍ଥିତି ଆହୁରି ସୁଦୃଢ଼ ହୋଇଯାଇଛି। ପୂର୍ବାଂଚଳର କେନ୍ଦ୍ରସ୍ଥଳରେ ବିଜେପି ୨୦୧୯ ଲଢ଼େଇରେ ବାରାଣସୀ ସମେତ ୧୩ଟି ଆସନରୁ ୯ଟିରେ ବିଜୟୀ ହୋଇଥିବା ବେଳେ ମିର୍ଜାପୁର ଓ ରବର୍ଟସଗଞ୍ଜରେ ଏହାର ସହଯୋଗୀ ଅପନା ଦଳ (ସୋନେଲାଲ) ବିଜୟୀ ହୋଇଥିଲା। ଏଥର ଦଳ ହରାଇଥିବା ଦୁଇଟି ଆସନ ଗାଜିପୁର ଓ ଘୋସିକୁ ଫେରାଇ ଆଣିବା ସହ ପୂର୍ବ ଆସନକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ୧୯୯୧ରେ ବିଜେପି ପ୍ରଥମ ଥର ପାଇଁ ବାରାଣସୀ ଲୋକସଭା ଆସନ ଜିତିଥିବା ବେଳେ ୧୯୯୬, ୧୯୯୮ ଓ ୧୯୯୯ରେ ଏହାକୁ ବଜାୟ ରଖିଥିଲା। କଂଗ୍ରେସ ୨୦୦୪ରେ ବିଜେପିର ବିଜୟ ଧାରାକୁ ଭାଙ୍ଗିଥିଲା। କିନ୍ତୁ ସମଗ୍ର ରାଜ୍ୟରେ ଦୁର୍ବଳ ପ୍ରଦର୍ଶନ ସତ୍ତ୍ୱେ ବିଜେପି ୨୦୦୯ରେ ଏହି ଆସନରେ ବିଜୟୀ ହୋଇଥିଲା। ୨୦୧୪ ଓ ୨୦୧୯ରେ ମୋଦୀ ଲହରରେ ବିଜେପି ପୁଣି ଥରେ ବାରାଣସୀ ଆସନ ଜିତିଥିଲା।

ରାଜନୈତିକ ବିଶ୍ଳେଷକ ପ୍ରଫେସର କୌଶଲ କିଶୋର ମିଶ୍ର କହନ୍ତି, ବିଜେପି ବାରାଣସୀରେ କଠିନ ପରିଶ୍ରମ କରି ଏକ ମଜଭୁତ ଭିତ୍ତିଭୂମି ସୃଷ୍ଟି କରିଛି। ରାମମନ୍ଦିର ଆନ୍ଦୋଳନ ଏହାକୁ ସୁଦୃଢ଼ କରିବାରେ ସହାୟକ ହୋଇଥିଲା। ସମୟକ୍ରମେ ବାରାଣସୀ ବିଜେପିର ଗଡ଼ରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ଏହି ଦୁର୍ଗକୁ ଆହୁରି ସୁଦୃଢ଼ କରିଛନ୍ତି। ପୂର୍ବରେ ବାଲିଆ ଓ ବିହାର ସହିତ ଏହାର ସୀମା ବଣ୍ଟନ କରୁଥିବା ଗାଜିପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏକଦା ସମାଜବାଦୀ ଓ ମାର୍କ୍ସବାଦୀଙ୍କ ଗଡ଼ ଥିଲା। ୧୯୫୨, ୧୯୫୭, ୧୯୬୨, ୧୯୮୯ ଓ ୧୯୮୪ରେ କଂଗ୍ରେସ ଏହି ଆସନରୁ ୫ ଥର ବିଜୟୀ ହୋଇଥିଲା। ୧୯୬୭, ୧୯୭୧ ଓ ୧୯୯୧ରେ ସିପିଆଇ ଏବଂ ୧୯୭୭ରେ ଜନତା ପାର୍ଟି ବିଜୟୀ ହୋଇଥିଲା। ବିଧାନସଭା ନିର୍ବାଚନଠାରୁ ଆରମ୍ଭ କରି ସଂସଦୀୟ ନିର୍ବାଚନ ପର୍ଯ୍ୟନ୍ତ ଜିଲ୍ଲାର ରାଜନୀତିରେ ଜାତିଗତ ସମୀକରଣ ପ୍ରାଧାନ୍ୟ ଲାଭ କରିଛି। ଏଠାରେ ବିଜୟ ପାଇଁ ଯାଦବଙ୍କ ସମର୍ଥନ ଅପରିହାର୍ଯ୍ୟ। ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସେତେବେଳେ ବିଏସ୍‌ପି ଓ ବର୍ତ୍ତମାନ ଏସ୍‌ପି ପ୍ରାର୍ଥୀ ଅଫଜଲ ଅନସାରୀଙ୍କଠାରୁ ଏହି ଆସନରେ ପରାଜିତ ହୋଇଥିଲେ। ବିଜେପି ଏହାକୁ ଫେରାଇ ଆଣିବା ପାଇଁ ପାରଶନାଥ ରାୟଙ୍କୁ ଏଥର ପ୍ରାର୍ଥୀ କରିଛି।

ପୂର୍ବ ୟୁପିର ଭାତହାଣ୍ଡି ଭାବେ ପରିଚିତ ଚାନ୍ଦୌଲି ଲୋକସଭା ନିର୍ବାଚନ ମଣ୍ଡଳୀର ସୀମା ବିହାରକୁ ଲାଗିଛି। ୧୯୯୧ ପରଠାରୁ ବିଜେପି ଏହି ଆସନରୁ ୫ ଥର ଜିତିଛି। ଶାସକ ଦଳ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି। ବିଏସ୍‌ପି ସତ୍ୟେନ୍ଦ୍ର ମୌର୍ଯ୍ୟଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବେଳେ ଏସ୍‌ପି ବୀରେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ କରିଛି। ୨୦୧୪ ବ୍ୟତୀତ ୧୯୯୧, ୧୯୯୬ ଓ ୧୯୯୮ରେ ବିଜେପି ଏହି ଆସନରେ ବିଜୟୀ ହୋଇଥିଲା। ୧୯୯୯ ଓ ୨୦୦୯ରେ ସମାଜବାଦୀ ପାର୍ଟି ଏବଂ ୨୦୦୪ରେ ବିଏସ୍‌ପି ବିଜୟୀ ହୋଇଥିଲା।