‘ବିଜେପି ମୋ ଦଳ ହୋଇପାରେ; କିନ୍ତୁ ଲାଲୁ ହେଉଛନ୍ତି ମୋ ପରିବାର’: ବିହାରୀବାବୁ ଶତ୍ରୁଘ୍ନ ସିହ୍ନା

ପାଟନା (ବିହାର): ‘ଭାରତୀୟ ଜନତା ପାର୍ଟି (ବିଜେପି) ମୋ ଦଳ ହୋଇପାରେ; କିନ୍ତୁ ଲାଲୁ ହେଉଛନ୍ତି ମୋ ପରିବାର!’ ଏକଥା କହିଛନ୍ତି ବିହାରୀବାବୁ ରୂପେ ଖ୍ୟାତ ଅଭିନେତାରୁ ରାଜନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା। ବିଜେପି ମୋ ଦଳ ହୋଇପାରେ କିନ୍ତୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଏବଂ ତାଙ୍କ ପିଲାମାନେ ହେଉଛନ୍ତି ମୋ ପରିବାର ବୋଲି କହିଛନ୍ତି ଶ୍ରୀ ସିହ୍ନା।

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପକ୍ଷରୁ ଗତ ବୁଧବାର ଦିନ ଲାଲୁଙ୍କ ବାସଭବନରେ ଆୟୋଜିତ ଇଫ୍‌ତାର ପାର୍ଟିରେ ଯୋଗଦେବା ଅବସରରେ ବିଜେପି ନେତା ଶ୍ରୀ ସିହ୍ନା କହିଛନ୍ତି, ‘ଲାଲୁ ଜୀ, ରାବ୍‌ରୀ ଜୀ, ତେଜସ୍ୱୀ, ତେଜ୍‌, ମିସା ଏମାନେ ସମସ୍ତେ ହେଉଛନ୍ତି ମୋ ପାରିବାରିକ ବନ୍ଧୁ। ଏଠାକୁ ମୁଁ ସେମାନଙ୍କର ନିମନ୍ତ୍ରଣ ରକ୍ଷାକରି ଆସିଛି। ବିଜେପି ମୋ ଦଳ ହୋଇପାରେ, କିନ୍ତୁ ଏମାନେ ସମସ୍ତେ ହେଉଛନ୍ତି ମୋ ପରିବାର!’

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ନିକଟ ଅତୀତରେ ଦଳୀୟ ବରିଷ୍ଠ ନେତାମାନଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇ ଦଳ ଭିତରେ ଅଖୋଜା ଓ ଅଲୋଡ଼ା ହୋଇ ପଡ଼ିଥିବା ଶ୍ରୀ ସିହ୍ନା ଦଳୀୟ ବରିଷ୍ଠ ନେତା ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କର କଟୁ ସମାଲୋଚନା କରିବା ଆରମ୍ଭ କରି ଦେବା ସହ ଲାଲୁ ପ୍ରସାଦ ତାଙ୍କର ଜଣେ ଉତ୍ତମ ବନ୍ଧୁ ବୋଲି କହୁଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ସିହ୍ନା ବିଜେପି ଛାଡ଼ି ଆର୍‌ଜେଡିରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଗତ କିଛି ଦିନ ତଳୁ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା। ତେବେ, ଗତକାଲି ସେ ସ୍ପଷ୍ଟ କରି ଦେଇଛନ୍ତି ଯେ ସେ ବିଜେପିରେ ଅଛନ୍ତି ଓ ରହିବେ ମଧ୍ୟ! ଲାଲୁ ପ୍ରସାଦଙ୍କ ସହ ତାଙ୍କର ସଂପର୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ରାଜନୀତିରୁ ଉର୍ଦ୍ଧ୍ୱରେ ବୋଲି କହିଛନ୍ତି ଶ୍ରୀ ସିହ୍ନା।

ସମ୍ବନ୍ଧିତ ଖବର