କୋଲକତା: ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ମଙ୍ଗଳବାର ଦିନ ସ୍ଵୀକାର କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ଶାସନ କରୁଛି କାରଣ ବିଜେପିର କୌଣସି ବିକଳ୍ପ ନାହାନ୍ତି। ସେ ପ୍ରସ୍ତାବ ଦେଇଛନ୍ତି ଯେ ଅନ୍ୟ ରାଜନୈତିକ ଦଳମାନଙ୍କୁ ବିଜେପିର ବିକଳ୍ପ ବନାଇବା ପାଇଁ ଏକାଠି କାମ କରିବାକୁ ପଡିବ କାରଣ କେବଳ ବୟାନ ଦେଲେ କିଛି ଲାଭ ହେବ ନାହିଁ।
ମଙ୍ଗଳବାର ମମତା ବାନାର୍ଜୀ କୋଲକତାର ସାଙ୍ଗଠନିକ ବୈଠକରେ କୌଣସି ଦଳର ନାମ ନ ନେଇ କହିଥିଲେ, ତିନିଟି ରାଜନୈତିକ ଦଳ ପଶ୍ଚମବଙ୍ଗର ଦେଓଚା ପଚମିରେ କୋଇଲା ଖନନ ଓ ତାଜପୁରରେ ଗଭୀର ସମୁଦ୍ର ବନ୍ଦର ଭଳି ଯୋଜନାଗୁଡିକୁ କିଭଳି ରୋକାଯିବ ଏହା ଉପରେ ବୈଠକ କରିଛନ୍ତି। ସେମାନେ ଜାଣିଛନ୍ତି ଏହି ଯୋଜନାଗୁଡିକର ସଫଳ ରୂପାୟନ ହେଲେ ସେମାନେ ଆସନ୍ତା ୨୦ ବର୍ଷ ଧରି ଶାସନକୁ ଆସିପାରିବେ ନାହିଁ। ମୁଁ କହିବି ଯେ ସେମାନେ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ସେମାନେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଶାସନକୁ ଆସିପାରିବେ ନାହିଁ।
ମମତା ବାନାର୍ଜୀ ବିଜେପିର ନାମ ନ ନେଇ କହିଥିଲେ, ଆପଣ କେନ୍ଦ୍ରରେ ଅଛନ୍ତି କାରଣ ଏହି ସମୟରେ କୌଣସି ବିକଳ୍ପ ନାହିଁ। ଯେତେବେଳେ କୌଣସି ବୈକଳ୍ପିକ ଶକ୍ତି ସାମନାକୁ ଆସିବ ସେତେବେଳେ ଆପଣ ଶାସନରେ ରହିବେ ନାହିଁ। ବୈକଳ୍ପିକ ଶକ୍ତି ପାଇଁ ରାଜନୈତିକ ଦଳମାନଙ୍କୁ ଏକାଠି ହେବାକୁ ପଡିବ। କେବଳ ବୟାନ ଦେଲେ କୌଣସି ଉଦ୍ଦେଶ୍ୟ ପୂରଣ ହେବ ନାହିଁ। ଯଦି ୨୦୨୪ରେ ବିଜେପିକୁ ହରାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତ୍ୟେକ ଘରେ ଗୋଟିଏ ଦୁର୍ଗ ବନାଇବାକୁ ପଡିବ। ଏଭଳି ଦୁର୍ଗକୁ ଉତ୍ତରପ୍ରଦେଶ, ବିହାର, ତ୍ରିପୁରା, ଆସାମ, ରାଜସ୍ଥାନ ଓ ହରିୟାଣା ସହିତ ଅନ୍ୟ ରାଜ୍ୟମାନଙ୍କରେ ବି ବନେଇବାକୁ ପଡିବ। ଆପଣମାନଙ୍କୁ ସକ୍ରିୟ ରହିବାକୁ ପଡିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/C1.jpg)