ବିଜେପି ସବୁଠାରୁ ଧନୀ, ଦ୍ୱିତୀୟରେ କଂଗ୍ରେସ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ। ତା ତଳକୁ ରହିଛି କଂଗ୍ରେସ ଦଳ। ଭାରତର ୭ଟି ରାଜନୈତିକ ଦଳ ମଧ୍ୟରୁ ବିଜେପି ସବୁଠାରୁ ଅଧିକ ଧନୀ ଦଳ। ୨୦୧୫-୧୬ରେ ଏହାର ସମ୍ପତ୍ତି ପରିମାଣ ରହିଥିଲା ୮୯୪ କୋଟି। ସେହିପରି ଧନୀ ଦଳ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ ଏବଂ କଂଗ୍ରେସର ସମ୍ପତ୍ତିର ପରିମାଣ ହେଉଛି ୭୫୯ କୋଟି ବୋଲି ଆସୋସିଏସନ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ଗତକାଲି (ସୋମବାରଦିନ) ଜାରି ରିପୋର୍ଟରେ କୁହାଯାଇଛି। ସେହିପରି ବିଜେପିର ମୋଟ ସମ୍ପତ୍ତିରୁ ଘୋଷିତ ଋଣର ପରିମାଣ ୨୫ କୋଟି ଥିବା ବେଳେ କଂଗ୍ରେସର ଋଣ ପରିମାଣ ୩୨୯ କୋଟି ବୋଲି ଏଡିଆର ରିପୋର୍ଟରେ କୁହାଯାଇଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୨୦୦୫-୦୫ରୁ ୨୦୧୫-୧୬ ମଧ୍ୟରେ ଘୋଷଣା କରାଯାଇଥିବା ସେମାନଙ୍କ ସମ୍ପତ୍ତି ଓ ଋଣ ପରିମାଣ ସମ୍ପର୍କିତ ତଥ୍ୟକୁ ଆଧାର କରି ଏଡିଆର ଏହି ରିପୋର୍ଟ ପ୍ରକାଶ କରିଛି।

ସମଗ୍ର ଦେଶରେ ଏବେ ଭାରତୀୟ ଜନତା ପାର୍ଟି (ବିଜେପି) ସବୁଠାରୁ ଧନୀ ରାଜନୈତିକ ଦଳ। ଗତ ସାଧାରଣ ନିର୍ବାଚନ ଜିଣି କେନ୍ଦ୍ରରେ କ୍ଷମତାସୀନ ହେବା ପରେ ବିଜେପି ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସକୁ ପଛରେ ପକାଇ ଧନୀ ତାଲିକାରେ ୧ ନମ୍ବର ସ୍ଥାନ ଦଖଲ କରିଛି। ତା ପଛକୁ ରହିଛି କଂଗ୍ରେସ ଦଳ।

୨୦୦୪-୦୫ରୁ ୨୦୧୫-୧୬ ପର୍ଯ୍ୟନ୍ତ , ଏହି ଏଗାର ବର୍ଷ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ଘୋଷଣା କରିଥିବା ସେମାନଙ୍କ ସମ୍ପତ୍ତି ତଥ୍ୟକୁ ଏଡିଆର ତର୍ଜମା କରି କହିଛି ଯେ ୨୦୧୪-୧୫ ମସିହା ପର୍ଯ୍ୟନ୍ତ ବିଜେପି ଠାରୁ କଂଗ୍ରେସର ସମ୍ପତ୍ତି ପରିମାଣ ଅଧିକ ଥିଲା। ୨୦୧୪ ରେ କେନ୍ଦ୍ରରେ କ୍ଷମତାସୀନ ହେବା ପରେ ଭାରତୀୟ ଜନତା ପାର୍ଟି କଂଗ୍ରେସ ଠାରୁ ସମ୍ପତ୍ତି ଆହରଣ କରିବାରେ ଅଧିକ ସକ୍ଷମ ହୋଇଛି।
୨୦୦୪-୨୦୦୫ରେ କଂଗ୍ରେସର ସମ୍ପତ୍ତି ପରିମାଣ ୧୬୭.୩୫ ଥିବା ବେଳେ ୨୦୧୫-୧୬ରେ ଏହା ୭୫୮.୭୯ କୋଟିରେ ପହଞ୍ଚିଥିଲା। ୨୦୦୪-୦୫ରେ ବିଜେପିର ସମ୍ପତ୍ତି ପରିମାଣ ୧୨୨.୯୯ କୋଟି ରହିଥିବା ବେଳେ ୨୦୧୫-୧୬ରେ ଏହା ୮୯୩.୮୮ କୋଟିରେ ପହଞ୍ଚିଥିଲା। ୨୦୧୪ ନିର୍ବାଚନରେ କଂଗ୍ରେସର ବଡ଼ ଧରଣର ପରାଜୟ ଏବଂ ବିଭିନ୍ନ ରାଜ୍ୟରେ ବିପର୍ଯ୍ୟୟ ସତ୍ତ୍ୱେ ଏହାର ସମ୍ପତ୍ତିରେ ବିଶେଷ ହ୍ରାସ ହୋଇନାହିଁ। ୨୦୧୩-୧୪ରେ କଂଗ୍ରେସର ମୋଟ ସମ୍ପତ୍ତି ପରିମାଣ ୭୬୭ କୋଟି ଥିବା ବେଳେ ୨୦୧୪-୧୫ରେ ମାତ୍ର ୬୨ କୋଟି ହ୍ରାସ ପାଇ ୭୦୨ କୋଟିରେ ପହଞ୍ଚି ଥିଲା। ପୁଣି ୨୦୧୫-୧୬ରେ ଏହାର ସମ୍ପତ୍ତି ପରିିମାଣ ବୃଦ୍ଧି ପାଇ ୭୫୮.୭୯ କୋଟିରେ ପହଞ୍ଚିଥିଲା।
୨୦୧୫-୧୬ରେ ଗଚ୍ଛିତ ପାଣ୍ଠି କ୍ଷେତ୍ରରେ ମଧ୍ୟ ବିଜେପି ଆଗରେ ରହିଛି । ଗତ ୧୧ ବର୍ଷ ମଧ୍ୟରେ ବିଜେପିର ଗଛିତ ପାଣ୍ଠି ୭୦୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏହି ସମୟରେ କଂଗ୍ରେସର ମାତ୍ର ୧୬୯ ପ୍ରତିଶତ ବୃଦ୍ଧି ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଗଛିତ ପାଣ୍ଠି କ୍ଷେତ୍ରରେ ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସର ୧୩ହଜାର ୪୪୭ ପ୍ରତିଶତ ବୃଦ୍ଧି ଘଟି ଥିବା ବେଳେ ବିଏସପିର ୧୧୯୪ ପ୍ରତିଶତ ବୃଦ୍ଧିି ଘଟିଛି। ଗଛିତ ପାଣ୍ଠି କ୍ଷେତ୍ରରେ ବିଜେପି ୮୬୯ କୋଟି ଟଙ୍କା ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ୫୫୭ କୋଟି ଗଚ୍ଛିତ ପାଣ୍ଠି ସହ ବିଏସ୍‌୍‌ପି ଦ୍ୱିତୀୟ ଏବଂ ୪୩୨ କୋଟି ସହ ସିପିଏମ୍‌ ତୃତୀୟ ସ୍ଥାନରେ ରହିଛି। ୨୦୦୪-୦୫ରେର ବିଜେପିର ମୋଟ ସମ୍ପତ୍ତି ପରିମାଣ ୧୨୩ କୋଟି ଥିବା ବେଳେ ଗତ ୧୧ ବର୍ଷ ମଧ୍ୟରେ ଏହାର ପରିମାଣ ୬୨୭.୧୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କଂଗ୍ରେସର ୩୫୩.୪୧ ପ୍ରତିଶତ ବୃଦ୍ଧିି ଘଟିଛି।

photo credit- India MART

ଏ ସମ୍ପର୍କରେ ବିଜେପି ମୁଖପାତ୍ର ଗୋପାଲ ଅଗ୍ରଓ୍ଵାଲ କହିଛନ୍ତି ଯେ ଆମେ ସମସ୍ତ ଡୋନେସନ ଚେକ୍‌ ଆକାରରେ ନେଇଛୁ। ଆମେ ସମଗ୍ର ଦେଶର ପ୍ରତି ଜିଲ୍ଲାରେ ଦଳୀୟ ଅଫିସ ଖୋଲିବାକୁ ଯାଉଛୁ। ଆମର ଟ୍ୟାକ୍ସ ରିଟର୍ଣ୍ଣ ଠିକ ସମୟରେ ଦିଆଯାଇଛି ଏବଂ ସ୍ୱଚ୍ଛତା ପାଇଁ ଖୁବ୍‌ ଶୀଘ୍ର ଆମେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ଦଳୀୟ ପାଣ୍ଠି ପରିଚାଳନା କରିବାକୁ ଯାଉଛୁ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି।

ସମ୍ବନ୍ଧିତ ଖବର