ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମୁଖ୍ୟ ନିର୍ବାଚନ କମିସନରଙ୍କୁ ଚିଠି ଲେଖି ଦାବି କରିଛନ୍ତି ଯେ ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆପ୍ କର୍ମୀଙ୍କୁ ବିଜେପି କର୍ମୀମାନେ ଧମକ ଦେଉଛନ୍ତି ଏବଂ ହଇରାଣ କରୁଛନ୍ତି। କେଜ୍ରିୱାଲ ଦିଲ୍ଲୀ ପୁଲିସ ବିରୋଧରେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଦୋଷୀ ପୁଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ କେଜ୍ରିୱାଲ ନିର୍ବାଚନ କମିସନଙ୍କୁ କହିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ କର୍ମୀମାନଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି ଏବଂ ଭିତ୍ତିହୀନ ଅଭିଯୋଗରେ ବିଏନ୍ଏସ୍ଏସ୍ ୨୦୨୩ର ଧାରା ୧୨୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ବିଜେପି କେଜ୍ରିୱାଲଙ୍କ ଅଭିଯୋଗ ଡାହାମିଛ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି।
ମୁଖ୍ୟ ନିର୍ବାଚନ କମିସନରଙ୍କୁ ଚିଠିଲେଖି ଅଭିଯୋଗ କଲେ
କେଜ୍ରିୱାଲ ତାଙ୍କ ଚିଠିରେ ଲେଖିଛନ୍ତି ଯେ ନିର୍ବାଚନ ଦିନ ଆମର ସ୍ୱେଚ୍ଛାସେବୀମାନେ ଯେପରି ନିର୍ଯାତନା କିମ୍ବା ବଳପୂର୍ବକ ଅଟକ ଭୟ ନ କରି ମୁକ୍ତ ଭାବରେ କାମ କରିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦିଆଯାଉ। ବିଜେପି କର୍ମୀ ଏବଂ ଦିଲ୍ଲୀ ପୁଲିସ ଦ୍ୱାରା ଟାର୍ଗେଟ ହୋଇଥିବାରୁ ମୁଁ ଆମର ପ୍ରମୁଖ ତୃଣମୂଳ ସ୍ତରର ସ୍ୱେଚ୍ଛାସେବୀମାନଙ୍କର ଏକ ନାମ ତାଲିକା ଯୋଡ଼ିଛି ଯେଉଁମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଉଚିତ୍ ବୋଲି ସେ କହିଛନ୍ତି। ସ୍ୱେଚ୍ଛାସେବୀମାନଙ୍କୁ ଭୟଭୀତ କରିବା ପାଇଁ ରାଜନୈତିକ ଚାପରେ କାର୍ଯ୍ୟ କରୁଥିବା ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କେଜ୍ରିୱାଲ ଦାବି କରିଛନ୍ତି।